ରାଜ୍ୟ ବୟନିକା ସଭାପତିଙ୍କୁ ନାଗରିକ ସମ୍ବର୍ଦ୍ଧନା
ବୌଦ୍ଧ: ରାଜ୍ୟ ବୟନିକା ସଭାପତି ଭାବରେ ବୌଦ୍ଧଜିଲା ମନମୁଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ମେହେର ନିର୍ବାଚିତ ହେବାପରେ ବୌଦ୍ଧରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନଏସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ବୈଠକରେ ପୁଷ୍ପଗୁଛ ଓ ଉପଢୌକନ ଦେଇ ଶ୍ରୀମେହେରଙ୍କୁ ବୌଦ୍ଧବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପୂର୍ବରୁ ବୌଦ୍ଧଜିଲାର ଶେଷ କୁମାର ମେହେର ଦୁଇଥର ରାଜ୍ୟ ବୟନିକା ସଭାପତି ଭାବରେ ନିର୍ବାଚିତ ହୋଇଥିବାବେଳେ ପ୍ରକାଶ ଚନ୍ଦ୍ର ମେହେର ବୌଦ୍ଧରୁ ଦ୍ୱିତିୟ ବ୍ୟକ୍ତି ଭାବରେ ଏହି ସମ୍ମାନଜନକ ପଦବୀ ହାସଲ କରିବାରେ ସଫଳ ହୋଇଛନ୍ତି। ସମ୍ବର୍ଦ୍ଧନା ସଭାରେ ଶ୍ରୀମେହେର ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ବୟନିକା ସଭାପତି ଭାବରେ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ସହଯୋଗ ଓ ମାର୍ଗଦର୍ଶନରେ ଏହା ସମ୍ଭବ ହୋଇପାରିଥିବା ପ୍ରକାଶ କରିଥିଲେ। ଏହି ପଦବି ପାଇଁ ଅନ୍ୟଜିଲା ଗୁଡିକରୁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀ ଅମାତଙ୍କ ସଫଳ ନେତୃତ୍ୱ ଯୋଗୁଁ ବୌଦ୍ଧରୁ ତାଙ୍କୁ ସଭାପତି ଭାବରେ ଦଳୀୟ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଥିଲା ଏବଂ ସମସ୍ତଙ୍କ ସମର୍ଥନରେ ସେ ନିର୍ବାଚିତ ହୋଇଥିଲେ। ତେଣୁ ଶ୍ରୀ ଅମାତଙ୍କ ପ୍ରତି ଶ୍ରୀ ମେହେର ଗଭୀର କୃତଜ୍ଞତା ପ୍ରକାଶ କରିବା ସହିତ ଜିଲାରେ ବୁଣାକାରମାନଙ୍କ ଉନ୍ନତି ଏବଂ ବୟନିକା ପକ୍ଷରୁ ସବୁ କ୍ଷେତ୍ରରେ ବୌଦ୍ଧଜିଲାକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଥିଲେ। ଶ୍ରୀ ମେହେର ସଭାପତି ଭାବରେ ନିର୍ବାଚିତ ହେବାପରେ ଖୁବଶୀଘ୍ର ବୌଦ୍ଧରେ ବୟନିକା ପକ୍ଷରୁ ଷ୍ଟଲ ଖୋଲାଯାଇ ଲୋକଙ୍କୁ ଉନ୍ନତମାନର ସାମଗ୍ରୀ ସୁଲ୍ଲଭ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ସୁଭାଷିନୀ ସେଠୀ, ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର, ଅଶୋକ କୁମାର ସାହୁ, ଯୋଗେଶ ପ୍ରସାଦ ନାୟକଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସଭାପରେ ଶ୍ରୀମେହେର ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ସହିତ ସାକ୍ଷାତ କରି ବୌଦ୍ଧରେ ବୁଣାକାରମାନଙ୍କ ଉନ୍ନତି ନେଇ ଆଲୋଚନା କରିଥିବା ଜଣାଯାଇଛି।
Comments are closed.