ମୟୁରଭଞ୍ଜରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ଡେସ୍କ: ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ପ୍ରକଳ୍ପଗୁଡିକର ସମୀକ୍ଷା ନିମନ୍ତେ ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ମୟୁରଭଞ୍ଜ ଗସ୍ତର ଦ୍ଵିତୀୟ ଦିନରେ ଶ୍ରୀ ପାଣ୍ଡିଆନ କେତେକ ନିର୍ମାଣସ୍ଥଳୀ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ସେ ପ୍ରଥମେ ଚନ୍ଦନପୁର-ଜୋକା-ଶଙ୍ଖାଭଙ୍ଗା-ବିଶୋଇ ରୋଡ୍ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସ୍ଥାନୀୟ ଲୋକଙ୍କଙ୍କ ସହ ଆଲୋଚନା କରିଥିଲେ। ବାଙ୍ଗିରିଓସେସି କଟରେ ଟ୍ରାଫିକ୍ ଜାମ ଯୋଗୁଁ ହେଉଥିବା ଅସୁବିଧା ସମ୍ପର୍କରେ ଲୋକମାନେ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ। ଏକ ବିକଳ୍ପ ରାସ୍ତା ନିର୍ମାଣ ହେଲେ ଅସୁବିଧା ଦୂର ହେବ ବୋଲି ସ୍ଥାନୀୟ ଜନସାଧାରଣ ଜଣାଇଥିଲେ। ଏ ନେଇ ଶୀଘ୍ର ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଗ୍ରାମୀଣ କାର୍ଯ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ପରେ ସେ ବାରିପଦା ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ନବୀକରଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ସମସ୍ତ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କରି ମନ୍ଦିର ପକ୍ଷରୁ ସବୁ ସହାୟତା କରାଯିବ ବୋଲି କହିଥିଲେ। ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ପାଣ୍ଠି ଯୋଗାଇ ଦେଇ ଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।

ଏହି ଗସ୍ତ ଅବସରରେ ୫-ଟି ସଚିବ ବାରିପଦା ଷ୍ଟାଡିୟମ୍ ଏବଂ ସ୍ପୋର୍ଟସ୍ ହଷ୍ଟେଲର କ୍ରୀଡା ଭିତ୍ତିଭୂମିର ସମୀକ୍ଷା କରିବା ସହ ଖେଳାଳୀମାନଙ୍କ ସହିତ ଆଲୋଚନା କରିଥିଲେ। ଖେଳାଳୀମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ଓ ସୁବିଧା ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନଙ୍କୁ କହିବା ସହ କ୍ରୀଡା ଭିତ୍ତିଭୂମିର ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ ସାନଖୁଣ୍ଟା ବ୍ଲକର ବାଲିଡିହ ଡ୍ୟାମ ପରିଦର୍ଶନ କରିଥିଲେ। ସେହି ଅଂଚଳକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଡ୍ୟାମ୍ ବିକାଶ ପାଇଁ ସେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହି ଅନୁଯାୟୀ ଜଳସେଚନ ବିଭାଗକୁ ପ୍ରସ୍ତାବ ପଠାଇବା ପାଇଁ ସେ କହିଥିଲେ। ଆହୁରି ମଧ୍ୟ, ଡ୍ୟାମ ସାଇଟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ସମ୍ଭାବନା ବିଷୟରେ ପଚାରି ବୁଝିଥିଲେ।

ଗସ୍ତ କାଳରେ ୫-ଟି ସଚିବ ଏହା ପରେ ସେ ବୁଢ଼ାବଳଙ୍ଗ ନଦୀରେ ଥିବା ସେହି ସ୍ଥାନକୁ ପରିଦର୍ଶନ କରିଥିଲେ ଯେଉଁଠାରେ ବନ୍ୟା ସୁରକ୍ଷା ରିଙ୍ଗ ରୋଡ୍ ନିର୍ମାଣର ଆବଶ୍ୟକତା ରହିଛି। ଏ ନେଇ ସେ ଏକ ପ୍ରସ୍ତାବ ପଠାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ସେ ୫ଟିରେ ବିକଶିତ ବାରିପଦା ଏମକେସି ହାଇସ୍କୁଲ ପରିଦର୍ଶନ କରିଥିଲେ ଓ ପିଲାମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକ ବିଷୟରେ ପଚାରିଥିଲେ। ଏଥିସହିତ ଶ୍ରୀ ପାଣ୍ଡିଆନ ପିଆରଏମ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ରୋଗୀମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ୫-ଟି ସଚିବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସସ୍ଥାନ ଓ ମାଣତ୍ରୀ ମନ୍ଦିର ପରିଦର୍ଶନ କରିଥିଲେ।

Comments are closed.