ଆଠଗଡ: ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଆଠଗଡରେ ରଥଯାତ୍ରା ପରଠାରୁ ଯଜ୍ଞନାରାୟଣ ମନ୍ଦିର ପରିସରସ୍ଥିତ ଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ବା ଆଡପ ମଣ୍ଡପରେ ବିଜେ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାହୁଡା ଯାତ୍ରାର ପୂର୍ବ ତଥା ଶୁକ୍ରବାର ନବମୀ ସନ୍ଧ୍ୟାରେ ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଏହି ନବଦିନାତ୍ମକ ଘୋଷଯାତ୍ରା ଅବସରରେ ପରମ୍ପରା ଅନୁଯାଇ ଆଡପ ମଣ୍ଡପରେ ବିଜେ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ପ୍ରତ୍ୟହ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥିଲା। ନବମୀ ବା ଶେଷ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଅତି ସୁନ୍ଦର ଭାବେ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଥିଲା।
ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର, ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ କୁମାର ପଣ୍ଡାଙ୍କ ସମେତ ଅନ୍ଯ ସେବାୟତ ଶ୍ରୀ ଜୀଉଙ୍କର ସମସ୍ତ ପୂଜାନୀତି ଓ ବେଶ ଆଦି ସମ୍ପନ୍ନ କରିଥିଲେ। ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବିଜେ ସମୟରେ ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ପରିଚାଳନାରେ ପ୍ରତିଦିନ ସନ୍ଧ୍ୟାରେ ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଶନିବାର ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି ବୋଲି ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା କହିଛନ୍ତି।



