ପ୍ରତି ପଞ୍ଚାୟତରେ ବୁଲୁଛି ସଚେତନତା ରଥ ତଥାପି ନିୟନ୍ତ୍ରଣକୁ ଆସୁନି ଜଙ୍ଗଲ ନିଆଁ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଶତକଡା ୬୫ ଭାଗରୁ ଅଧିକ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଏହାର ସୁରକ୍ଷା ପାଇଁ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡା ଠାରେ ରହିଛି ଦୁଇଟି ଫରେଷ୍ଟ ଡିଭିଜନ। ଜଙ୍ଗଲ ପାଇଁ ସବୁଠାରୁ ଅଧିକ ବିପଦ ସୃଷ୍ଟି କରୁଛି ଖରାଦିନିଆ ଜଙ୍ଗଲ ନିଆଁ। ଫେବୃଆରୀ ମାସ ଶେଷ ସମୟରୁ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥାଏ। ଏହାର ପ୍ରଭାବରେ ବ୍ୟାପକ ବୃକ୍ଷ ଲତା ନଷ୍ଟ ହେବା ସହିତ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଅଧିକାଂଶ ବନାଗ୍ନି ମନୁଷ୍ୟକୃତ ବୋଲି ବିଭାଗୀୟ ଅଧିକାରୀ ମତ ଦିଅନ୍ତି। ବିଶେଷ କରି ଏହି ସମୟରେ ମହୁଲ ଫୁଲ ସଂଗ୍ରହ ପାଇଁ ଗଛ ତଳ ସଫା କରିବା ଉଦ୍ଦେଶ୍ୟରେ ଲୋକେ ନିଆଁ ଲଗାଇ ଥାଆନ୍ତି ବୋଲି କୁହାଯାଏ। ପବନରେ ପ୍ରଭାବରେ ଏହି ନିଆଁ ଏକ ବ୍ୟାପକ ଅଞ୍ଚଳକୁ ବ୍ୟାପି ଯାଇଥାଏ। ସେହିଭଳି ଜିଲ୍ଲାରେ ଆଦିବାସୀ ମାନଙ୍କ ଦ୍ବାରା ପୋଢୁଚାଷ ପାଇଁ ମଧ୍ୟ ଜଙ୍ଗଲରେ ନିଆଁ ଲଗାଯାଉଥିବା ମଧ୍ୟ କୁହାଯାଏ। ବର୍ତ୍ତମାନ ପ୍ରାୟତଃ ପୋଢୁଚାଷ ପ୍ରଥା ବନ୍ଦ ହୋଇ ସାରିଥିଲେ ବି ଫୁଲବାଣୀ ଡିଭିଜନର ରାଇକିଆ ଏବଂ ବାଲିଗୁଡା ଡିଭିଜନର କିଛି ଅଞ୍ଚଳରେ ଏହି ପୋଢୁଚାଷ ପ୍ରଥା ଜାରୀ ରହିଥିବା ବନବିଭାଗ ପ୍ରକାଶ କରିଛନ୍ତି। ତେବେ ଏହି ବନାଗ୍ନିରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପ୍ରତ୍ୟେକ ଗ୍ରାମରେ ସଭାସମିତି କରି ଲୋକଙ୍କୁ ସଚେତନ କରିବା ସହିତ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ପରାମର୍ଶ ଦିଆଯାଉଛି। ପ୍ରତି ପଞ୍ଚାୟତରେ ବୁଲୁଛି ସଚେତନତା ରଥ। ଏହା ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ଜଙ୍ଗଲ ନିଆଁ।
ଚଳିତ ବର୍ଷ ବନାଗ୍ନିରେ ରେକର୍ଡ କରିଛି ଫୁଲବାଣୀ ବନଖଣ୍ଡ। ବନବିଭାଗ ପକ୍ଷରୁ ଜାରୀ ସୂଚନା ଅନୁସାରେ, ଚଳିତ ବର୍ଷ ଜିଲ୍ଲାରେ ସମୂଦାୟ ୧୭୮୪ ଫାୟର ପଏଣ୍ଟ ଠାବ ହୋଇଛି। ଏଥି ମଧ୍ୟରୁ ୧୪୯୮ଟି ପଏଣ୍ଟ ବିଭାଗ ଅଧୀନସ୍ଥ ଫରେଷ୍ଟ ବ୍ଲକ ମଧ୍ୟରେ ରହିଥିବା ବେଳେ ଏହା ବାହାରେ ୨୮୬ଟି ପଏଣ୍ଟ ରହିଛି। ଏହି ନିଆଁ ଯୋଗୁଁ ୩୯୦.୮ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା ବନବିଭାଗର ରିପୋର୍ଟରୁ ଜଣାପଡିଛି। ସୂଚନାଯୋଗ୍ୟ, ଗତ ମସିହାରେ ଫୁଲବାଣୀ ବନଖଣ୍ଡରେ ସର୍ବାଧିକ ୧୬୮୦ଟି ଫାୟର ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ ଏହାର ସଂଖ୍ୟା ମାତ୍ର ୪୦୪ ଥିଲା। ତେବେ ଚଳିତ ବର୍ଷ ଏହା ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଛି। ସେହିଭଳି ବାଲିଗୁଡା ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୧୩୯୨ ଟି ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ ୧୨.୩୬ ଏକର ଜଙ୍ଗଲ ପ୍ରଭାବିତ ହୋଇଛି। ଚଳିତ ବର୍ଷ ପାଇଁ ଫୁଲବାଣୀ ବନଖଣ୍ଡରେ ବନାଗ୍ନି ନିରାକରଣ ପାଇଁ ସମୂଦାୟ ୭ଟି ଟିମ ଗଠନ କରାଯାଇଥିବା ପ୍ରକାଶ କରିଛନ୍ତି ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ। ପ୍ରତି ଟିମରେ ଅଛନ୍ତି ୧୦ ଜଣ କର୍ମଚାରୀ। ଲାଗିଥିବା ସମସ୍ତ ଫାୟର ପଏଣ୍ଟରେ ନିଆଁ ଲିଭାଇବାରେ ସଫଳ ହୋଇଛି ବିଭାଗ। ତେବେ ବ୍ୟାପକ ସଚେତନତା ଓ କର୍ମଚାରୀ ମାନଙ୍କ ଦିନରାତି ପରିଶ୍ରମ ସତ୍ତ୍ୱେ ବନାଗ୍ନିର ମାତ୍ରା ବଢିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଡିଏଫଓ।
Comments are closed.