କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ସମସ୍ତ ଯୁବ ରେଡକ୍ରସ୍ ଶାଖା ମାନଙ୍କୁ ନେଇ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଏକ ଜିଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳସଚିବ ତଥା ଜିଲା ଯୁବ ରେଡକ୍ରସ୍ ଅଧ୍ୟକ୍ଷ ଦୁଃଖବନ୍ଧୁ ନାୟକ ଆନୁଷ୍ଠାନିକ ଭାବେ ରେଡକ୍ରସ୍ ଧ୍ୱଜ ଉତ୍ତୋଳନ ସହ ଶିବିରକୁ ଉଦ୍ଘାଟନ କରିଥିଲେ। ଜିଲା ଯୁବ ରେଡକ୍ରସ ସଂଯୋଜକ ହିମାଂଶୁ ଶେଖର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ଯୁବ ରେଡକ୍ରସ୍ ପ୍ରଶିକ୍ଷକ ଗିରୀଶ ପ୍ରସାଦ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱେଛାସେବୀ ମାନଙ୍କୁ ମାନବଧର୍ମରେ ଦୀକ୍ଷିତ ହେବାକୁ ଆହ୍ୱାନ ଦେଇ ରେଡକ୍ରସକୁ ଏହାର ପ୍ରକୃଷ୍ଟ କ୍ଷେତ୍ର ବୋଲି ଅଭିହିତ କରିଥିଲେ। ଜିଲା ଯୁବ ରେଡକ୍ରସ ଆବାହକ ଡ. ମମତାମଞ୍ଜରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ରେଡକ୍ରସର ସଫଳତା ଉପସ୍ଥାପନ କରିଥିଲେ। କୁଳସଚିବ ଶ୍ରୀ ନାୟକ ସଭାପତିତ୍ୱ ଅଭିଭାଷଣରେ ନିଜ ରେଡକ୍ରସ ଜୀବନର ଅନୁଭୂତି ପ୍ରକାଶ କରିବା ସହ ସମଗ୍ର ଜୀବନ ସେବାକୁ ବ୍ରତ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଜିଲାର ୪୦ରୁ ଊର୍ଦ୍ଧ୍ବ୍ୱ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରେଡକ୍ରସ ସଂଯୋଜକ ଏହି ଶିବିରରେ ଯୋଗ ଦେଇଥିବା ବେଳେ ଶତାଧିକ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ। ୩ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ୱେଚ୍ଛାସେବୀ ସୁଶ୍ରୀ ସରିତା ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



