କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ସେବାୟତଙ୍କ ମାସିକ ଦରମା ବୃଦ୍ଧି କରାନଗଲେ ଆସନ୍ତା ଜାନୁୟାରୀ ୨ ତାରିଖରୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବଳଦେବଜୀଉ ସେବାୟତ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବଦ୍ଧି ଘଟୁଥିଲେ ହେଁ ବଳଦେବଜୀଉ ମନ୍ଦିରର ସେବାୟତଙ୍କ ମାସିକ ବେତନ ଦୀର୍ଘ ବର୍ଷ ଧରି ବୃଦ୍ଧି ହୋଇନଥିବାରୁ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ କେନ୍ଦୁଝର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଉମାଶଙ୍କର ଦଳେଇଙ୍କୁ ସେବାୟତ ସଂଘ ପକ୍ଷରୁ ଲିଖିତ ଭାବେ ଅବଗତ କରାଯିବା ସହ ମାସିକ ବେତନ ବୃଦ୍ଧି ସାଙ୍ଗକୁ ମାସର ପ୍ରଥମ ସପ୍ତାହରେ ବେତନ ପ୍ରଦାନ ଓ ଚାକିରୀ କାଳ ମଧ୍ୟରେ ମୃତ୍ୟୁ ଘଟିଲେ ସେବାୟତ ପରିବାରଙ୍କୁ ଅନ୍ୟୁତ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଦାବି କରାଯାଇଥିବା ସେବାୟତ ବ୍ରଜେନ୍ଦ୍ର କୁମାର ରଣା କହିଛନ୍ତି। ଏପରିକି ନିକଟରେ ଦେବୋତ୍ତର କମିଶନଙ୍କ କେନ୍ଦୁଝର ଗସ୍ତ ସମୟରେ ମଧ୍ୟ ସେବାୟତ ସଂଘ ଭେଟି ଉପରୋକ୍ତ ଦାବି ସମ୍ପର୍କରେ ଅବଗତ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅସନ୍ତୋଷ କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ସୋମବାର ୩ଦଫା ଦାବି ପୂରଣ ନେଇ ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେବାୟତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ ଏବଂ ମାସକ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ଜାନୁୟାରୀ ୨ ତାରିଖ ଠାରୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ କରାଯିବ ବୋଲି ସେବାୟତ ଶ୍ରୀ ରଣା ଚେତାବନୀ ଦେଇଛନ୍ତି। ସେବାୟତ ସଂଘ ଦାବି ପୂରଣ ନେଇ ସମ୍ବଲପୁରସ୍ଥିତ ଦେବୋତ୍ତର କାର୍ଯ୍ୟାଳୟକୁ ପଠାଯିବା ସହ ଏ ସମ୍ପର୍କରେ ଦେବୋତ୍ତର କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ସେବାୟତଙ୍କ ଆଲୋଚନା ମଧଧ୍ୟ ହୋଇଛି ବୋଲି ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀ ଦଳାଇ କହିଛନ୍ତି। ଯେହେତୁ ଦରମା ବୃଦ୍ଧି ଓ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଭଳି ଦାବି ରହିଛି ଏଥିନିମନ୍ତେ ସମ୍ବଲପୁରସ୍ଥିତ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟାରୁ ଆର୍ଥୀକ ଅନୁମୋଦନ ନିହାତି ଆବଶ୍ୟକ ଥିବାରୁ ଦେବୋତ୍ତର କାର୍ଯ୍ୟାଳୟ କେନ୍ଦୁଝରର କର୍ମଚାରୀ ଓ ବଳଦେବଜୀଉ ସେବାୟତ ସଂଘ ପ୍ରତିନିଧି ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସମ୍ବଲପୁରସ୍ଥିତ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅନୁମୋଦନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ ସଂକ୍ରାନ୍ତ ଅଲୋଚନା କରାଯିବ ବୋଲି ଉପଜିଲାପାଳ ଶ୍ରୀ ଦଳାଇ ଏହା କହିଛନ୍ତି।
Popular Categories



