ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ବନାଞ୍ଚଳ ଅନ୍ତର୍ଗତ ଭଲିଆଡାଳ ଘାଟି ନିକଟରୁ ୪୦ଟି ପିଆଶାଳ ପଟା ବୋଝେଇ ଗାଡ଼ି ଜବତ ହୋଇଛି। ଘଟଣାସ୍ଥଳରୁ ଏକ ପଟା ବୋଝେଇ ଭ୍ୟାନକୁ ଛାଡି ଚୋରା ବେପାରୀ ମାନେ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କପ୍ତିପଦା ଥାନା ନୋଟ ଅଞ୍ଚଳରୁ ଏକ ଭ୍ୟାନ ଯୋଗେ ୪୦ ଖଣ୍ଡ ପିଆଶାଳ କାଠପଟା ବୋଝେଇ କରି ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଭାଲିଆଡାଳ-ମହୁଲଡ଼ିହା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଦେଇ ଏକ ଚୋରା ପଟା ବୋଝେଇ ଭ୍ୟାନ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ସାତକୋଶିଆ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତ ଙ୍କ ନେତୃତ୍ବରେ ଏକ ଟିମ୍ ଠାକୁରମୁଣ୍ଡା ରେଞ୍ଜ ଓ ମହୁଲ ଡ଼ିହା ଥାନା ପୋଲିସ ମିଳିତ ଭାବରେ ମହୁଲଡ଼ିହା-ଭାଲିଆଡାଳ ରାସ୍ତାର ଭାଲିଆଡାଳ ନିକଟ ଘାଟି ରାସ୍ତାରେ ଜଗି ରହିଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ଚୋରା କାଠ ପଟା ବୋଝେଇ କରି ଆସୁଥିବା ଭ୍ୟାନକୁ ରାସ୍ତାରେ ଅଟକ ରଖିଥିଲେ। ବନ ବିଭାଗ ଓ ପୋଲିସ କର୍ମଚାରୀ ମାନଙ୍କୁ ଦେଖି ଘଟଣାସ୍ଥଳରୁ ଚୋରା ଚାଲାଣରେ ସଂପୃକ୍ତ ବ୍ୟକ୍ତି ମାନେ ଅନ୍ଧାରରେ ଖସି ପଳାଇ ଯାଇଥିଲେ। ତନଖି ବେଳେ ଭ୍ୟାନରେ କାଠ ପଟା ଦେଖିବାକୁ ପାଈ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଭ୍ୟାନକୁ ଜବତ କରିବା ସହ ଘଟଣାର ଅନୁସନ୍ଧାନ କରୁଛି।



