ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ଚିକିତ୍ସାଳୟରେ ଏବେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚିକିତ୍ସକ ଅବସର ପରେ ନିଯୁକ୍ତି ପାଇନଥିବାରୁ ୩୫ହଜାର ଜନସାଧାରଣଙ୍କ ଚିକିତ୍ସାଭାର ଏବେ ଆୟୁଷ ଡାକ୍ତରଙ୍କ ହାତରେ। ଆଠଗଡ଼଼ ବ୍ଲକର ଗୁରୁଡ଼ିଝାଟିଆ ଏକ ପ୍ରମୁଖ ଅଞ୍ଚଳ। ଏଠାରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ, ଥାନା, ରାଜସ୍ୱନିରୀକ୍ଷକଙ୍କ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ରହିଥିବା ବେଳେ କୁମାରପୁର, ଛଅଗାଁ, ଗୋବରା, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ଓରନ୍ଦା, କୁଷ୍ପଙ୍ଗି ଆଦି ପଞ୍ଚାୟତର ୩୫ହଜାର ଜନସାଧାରଣ ଏହି ଚିକିତ୍ସାଳୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି। ବିଶେଷତଃ ଗୋବରା, ଗୁରୁଡ଼ିଝାଟିଆ, କୁମାରପୁର, ରାଧାକିଶୋରପୁର ଆଦି ପଞ୍ଚାୟତରେ ସର୍ବାଧିକ ଜନଜାତି ଜନସାଧାରଣ ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ବସବାସ କରିଥାନ୍ତି। ତେଣୁ ଏହି ଚିକିତ୍ସାଳୟ ଉପରେ ରୋଗୀମାନେ ସର୍ବଦା ନିର୍ଭରଶୀଳ ହୋଇଥାନ୍ତି। ସର୍ବାଧିକ ଗର୍ଭବତୀ ଏଠାରେ ପ୍ରସୁତୀ ହେଉଥିବାରୁ ଏହାକୁ ଏକ ପ୍ରସୂତୀକେନ୍ଦ୍ର ଭାବେ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଚିକିତ୍ସାଳୟରେ କାର୍ଯ୍ୟରତ ଚିକିତ୍ସକ ଗତମାସରେ ଅବସର ନେବା ପରେ ଆୟୁଷ ଚିକିତ୍ସକଙ୍କ ହାତରେ ଚିକିତ୍ସାଭାର ସଂପୂର୍ଣ୍ଣ ନ୍ୟସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଆୟୁଷ ଔଷଧ ମଧ୍ୟ ଯୋଗାଇ ଦିଆଯାଉନାହିଁ। ଆୟୁଷ ଚିକିତ୍ସକଙ୍କ ସହିତ ଜଣେ ଫାର୍ମାସିଷ୍ଟ ଓ ହାତଗଣତି ସେବିକାଙ୍କୁ ନେଇ ଚିକିତ୍ସାଳୟଟି ଚାଲୁ ରହୁଥିଲେ ମଧ୍ୟ ଜନସାଧାରଣଙ୍କୁ ଆବଶ୍ୟକ ସେବା ପ୍ରଦାନ କରିପାରୁ ନାହାନ୍ତି। ତେଣୁ ସାମାନ୍ୟ ଝାଡାବାନ୍ତି ଓ ଆଘାତ ହେଲେ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଗର୍ଭବତୀଙ୍କ କଥା ନକହିଲେ ଭଲ। ଜନଜାତି ଅଧ୍ୟୁଷିତ ମହିଳାମାନେ ରାତି ଅଧରେ ଆସି ଚିକିତ୍ସାଳୟରୁ ଫେରି ହନ୍ତସନ୍ତ ହୋଇ ଖର୍ଚ୍ଚାନ୍ତ ହେବା ସହିତ ଦୂରଦୂରାନ୍ତକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଜନସାଧାରଣ ଏନେଇ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ତାହାର ସମାଧାନ ହୋଇପାରୁନାହିଁ। ଚିକିତ୍ସାଳୟକୁ ବହୁଶଯ୍ୟା ବିଶିଷ୍ଟ ଓ ଉନ୍ନତ କରିବା କଥା। ହେଲେ ସାମାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେଉନଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ପ୍ରକାଶଯୋଗ୍ୟ ଗତ ୨ ସପ୍ତାହ ତଳେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅଚାନକ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସା ସୁବିଧା ସଂପର୍କରେ ସ୍ୱଚକ୍ଷୁରେ ଦେଖିଥିଲେ।

Comments are closed.