ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ

ଡେସ୍କ: କଟକରେ ରାଜ୍ୟ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟରେ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମୀକ୍ଷା ବୈଠକ କରିଛନ୍ତି। ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ। ତେବେ ରାଜ୍ୟରେ ଗୋ ମାତାଙ୍କ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଗୋପାଳନ ବୃଦ୍ଧି ଓ ଦୁଗ୍ଧ ଚାଷ ବୃଦ୍ଧି ଉପରେ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ଏହା ସହ ଗରିବ ଓ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ବିଭାଗର ସମସ୍ତ ଯୋଜନା କିପରି ପହଞ୍ଚିବ, ମତ୍ସ୍ୟ ଉତ୍ପାଦନ, ଅଣ୍ଡା ଉତ୍ପାଦନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଅସହାୟ ବୁଲା ପଶୁଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ଏହା ବ୍ୟତୀତ ଏହି ବିଭାଗକୁ କିପରି ଅଧିକ ମଜବୁତ୍ କରାଯିବ ସେ ନେଇ ଆଲୋଚନା ହୋଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ଲାଗୁ କରାଯାଇଛି। ଏଥିରେ ସମସ୍ତଙ୍କୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ଗୋପାଳନ ବୃଦ୍ଧି ସହ ଗାଈର ମାଈ ବାଛୁରୀକୁ ଜନ୍ମ ହେବା ଠାରୁ ୨୮ ମାସ ପର୍ଯ୍ୟନ୍ତ ସରକାର ସବସିଡ଼ି ଯୋଗାଇ ଦେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Comments are closed.