ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ଦୁଃଖ। ଦାଦନ ଖଟିବାକୁ ଯାଇ ମରଣ ମୁଖରେ ପଡ଼ୁଛନ୍ତି ଶ୍ରମିକ। ନିକଟରେ ଏହି ଥାନା ଅଞ୍ଚଳର ୪ଜଣ ଯୁବକ ଦାଦନ ଖଟିବାକୁ ଯାଇ ମୁଣ୍ଡ ଜାମିନ ରଖି ୮୦ହଜାର ଟଙ୍କା ଦେଇ ମୁକୁଳି ଥିବା ଘଟଣାର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗତ କିଛିଦିନ ହେବ ରୋଜଗାର କରିବା ଆଶାରେ ଏହି ଥାନା ଅଞ୍ଚଳର ଝିଞ୍ଜିରିଗୁଡା ପଞ୍ଚାୟତର କୁଟ୍ଲାରି ଗାଁ ବାଘପଦା ସାହିର ଗାନ୍ଦାରା ପାଟ ମାଝୀଙ୍କ ଝିଅ ଅର୍ଚ୍ଚନା ପାଟ ମାଝୀ ସୁଦୂର ଗୋଆ ରାଜ୍ୟକୁ ଯାଇ କାମଧନ୍ଦା ଅନ୍ମେଷଣ କରି ଗୋଟିଏ ଘରୋଇ କାମରେ ଯୋଗ ଦେବାର ଦୁଇ ଦିନ ପରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଙ୍ଗଳବାର ଦିନ ଗୋଆର ବମ୍ବୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଖବର ପାଇ ଅର୍ଚ୍ଚନାଙ୍କ ପରିବାରରୁ ଦାଦା ପାଉଲ ପାଟ ମାଝୀ ଓ ଭିଣୋଇ ଇସାକ ମାଝୀ ଗୁରୁବାର ଦିନ ଉକ୍ତ ମେଡ଼ିକାଲରେ ପହଞ୍ଚିଛନ୍ତି। ତେବେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଓ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କହିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ କଷ୍ଟକୁ ହୃଦୟଙ୍ଗମ କରି ଦାଦନ ସମସ୍ୟା ଦୁର କରିବା ସହ ଅର୍ଚ୍ଚନାଙ୍କ ଚିକିତ୍ସା ପ୍ରତି ସହଯୋଗର ହାତ ବଢ଼ାଇବାକୁ ପରିବାର ନିବେଦନ କରିଛନ୍ତି।
Popular Categories



