ଏମଏସଏମଇ ପୁନରୁଦ୍ଧାର ପାଇଁ ରପ୍ତାନି ପ୍ରୋତ୍ସାହନ ପରିଷଦର ରଣନୀତି

ସମ୍ବଲପୁର: ରାଜ୍ୟର ୫.୩୬ ଲକ୍ଷ ଏମଏସଏମଇ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗ ରୁଗଣ ଅବସ୍ଥାରେ ଅଛନ୍ତି। ଏଭଳି ସଂସ୍ଥାର ପୁନରୁଦ୍ଧାର ସକାଶେ ଏମଏସଏମଇ ରପ୍ତାନି ପ୍ରୋତ୍ସାହନ ପରିଷଦ (ଏମଏସଏମଇ ଇପିସି) ପକ୍ଷରୁ ୫- ସୂତ୍ରୀ ରଣନୀତି ପରାମର୍ଶ ଦିଆଯାଇଛି। ଯାହାଫଳରେ ରୁଗଣ ଏମଏସଏମଇ ପୁଣି ପୂର୍ଣ୍ଣକ୍ଷମ ହୋଇପାରିବା ସହ ତତ୍ ସଂଲଗ୍ନ କର୍ମଚାରୀଙ୍କ ରୋଜଗାର ସୁନିଶ୍ଚିତ ହୋଇପାରିବ। ଏହାକୁ ନେଇ ଏମଏସଏମଇ ରପ୍ତାନି ପ୍ରୋତ୍ସାହନ ପରିଷଦ ପକ୍ଷରୁ ଏକ ସବିସ୍ତୃତ ଅଧ୍ୟୟନ କରାଯାଇ ପୁସ୍ତକ ଆକାରରେ ପ୍ରକାଶ କରାଯାଇଛି।

ନୂଆଦିଲ୍ଲୀରେ ଏମଏସଏମଇ ଇପିସି ଅଧ୍ୟକ୍ଷ ଡ. ଡି.ଏସ ରାୱତ ‘ଓଡିଶାରେ ଏମଏସଏମଇର ପୁନର୍ଜୀବନ ଏବଂ ବିକାଶ’ ଶୀର୍ଷକ ପୁସ୍ତକ ଲୋକାର୍ପଣ କରିବା ସହ ଉନ୍ନୟନ ଲକ୍ଷ୍ୟ ଆଧାରିତ ବ୍ୟବସ୍ଥିତ ଦୃଷ୍ଟିଭଙ୍ଗୀ ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିରେ ସେ ଅସୁସ୍ଥ ଏମଏସଏମଇ ପୁନରୁଦ୍ଧାର ସଂକ୍ରାନ୍ତରେ ୫ ସୂତ୍ରୀ ରଣନୀତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାରେ ୫ ଲକ୍ଷ ୩୫ ହଜାର ୯୧୦ରୁ ଅଧିକ ଏମଏସଏମଇ ଉଦ୍ୟୋଗ ରହିଛି। ଯେଉଁଥିରୁ କି ଗ୍ରାମାଞ୍ଚଳରେ ୫୯.୪୮ ପ୍ରତିଶତ ଏବଂ ସହରାଞ୍ଚଳରେ ୪୦.୫୨ ପ୍ରତିଶତ ଉଦ୍ୟୋଗ ରହିଛି ଯେଉଁ ଗୁଡ଼ିକରେ ମୋଟାମୋଟି ୨୫,୬୫୫ କୋଟି ଟଙ୍କାର ଅର୍ଥ ବିନିଯୋଗ ହୋଇଛି। ଏହି ଉଦ୍ୟୋଗ ମାନଙ୍କରେ ବହୁ ସଂଖ୍ୟାରେ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ କର୍ମଚାରୀମାନେ ଭରସା କରି ରହିଛନ୍ତି। ତେଣୁ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା ପ୍ରାୟ ୨୫ ପ୍ରତିଶତ ଉଦ୍ୟୋଗକୁ ସାହାଯ୍ୟ କରିବା ଏକାନ୍ତ ଆବଶ୍ୟକତା ରହିଛି।

ଏଣୁ ଏଗୁଡ଼ିକର ପୁନରୁଦ୍ଧାର ନିମିତ୍ତ ପ୍ରସ୍ତାବିତ ରଣନୀତିରେ ଉଦ୍ୟମ ପଞ୍ଜୀକରଣ ମାଧ୍ୟମ​‌ରେ ବୈଧିକରଣ, ନୂତନ ଯୁଗ ଉଦ୍ୟୋଗ, ତ୍ବରିତ୍ ସେବା, ଆର୍ଥିକ ସହାୟତା, ବିପଦ ଲଘୁକରଣ ଏବଂ ମାଇକ୍ରୋ କ୍ଲଷ୍ଟର ସ୍କିମ୍ ପାଇଁ ଉପରେ ଗୁରୁତ୍ବାରୋପ କରିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଉକ୍ତ ଅଧ୍ୟୟନରେ ଏକକ ବାତାୟନ ମାଧ୍ୟମରେ ସହଜ ଅର୍ଥ ପରିଶୋଧ ବ୍ୟବସ୍ଥା, ସ୍ବୟମକୃତ ପ୍ରମାଣପତ୍ର, କ୍ଷମତାର ପ୍ରତିନିଧିକରଣ, ସ୍ବତନ୍ତ୍ର ଷ୍ଟାର୍ଟ ଅପ୍ କେନ୍ଦ୍ର, ଫାବ ଲ୍ୟାବ, ନିର୍ମାତା ଲ୍ୟାବ, ଆସେମ୍ବଲି ସୁବିଧା ଇତ୍ୟାଦି ପ୍ରାଥମିକ ଭିତ୍ତିରେ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି। ଏମଏସଏମଇ ଇପିସି ମୁଖ୍ୟ କହିଥିଲେ ଯେ ଜଣେ ସାଧାରଣ ଉଦ୍ୟୋଗୀ, ବିଶେଷକରି ମାଇକ୍ରୋ ଏବଂ ଛୋଟ ବର୍ଗରେ ବ୍ୟବସାୟ ଚଳାଇବା ପାଇଁ ସର୍ବୋତ୍ତମ ଦକ୍ଷ ଅଟନ୍ତି। ତଥାପି ବ୍ୟବସାୟ ହେଉଛି ବହୁ ଦିଗର ଗୋଟିଏ କେନ୍ଦ୍ର, ଏଣୁ ରାଜ୍ୟ ରାଜ୍ୟ ଏମଏସଏମଇ ବିଭାଗ ସତତ ଏମଏସଏମଇ ବିକାଶ ଦିଗରେ ଗୁରୁତ୍ବ ଦେବା ନିତାନ୍ତ ଆବଶ୍ୟକ। ଏଣୁ ଏମଏସଏମଇ ଇପିସି ବିଶ୍ବାସ କରେ ଯେ ଯଦି ତୁରନ୍ତ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରନ୍ତି, ତେବେ ରାଜ୍ୟରେ ରୁଗଣ ଏମଏସଏମଇ ସଂଖ୍ୟା ୧୦ ପ୍ରତିଶତକୁ ଖସି ଆସି ପାରିବ। ଏହାସହ ୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୧ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ରପ୍ତାନି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଆଶାବ୍ୟକ୍ତ କରିଥିଲେ।

Comments are closed.