୨୮୦ ଅସ୍ଥାୟୀ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ମିଳୁ ନ ଥିବା ଅଭିଯୋଗ

ସମ୍ବଲପୁର: ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ପକ୍ଷରୁ ସମ୍ବଲପୁର ଜନସ୍ୱାସ୍ଥ୍ୟ ଖଣ୍ଡ ଠାରେ କାର୍ଯ୍ୟରତ ୨୮୦ ଜଣ ସିଏଲଆର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଉ ନ ଥିବାର ଅଭିଯୋଗ କରିଛି। ଏହି ମର୍ମରେ ସଂଘ ପକ୍ଷରୁ ମଙ୍ଗଳବାର ଶ୍ରମ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁର ଜନସ୍ୱାସ୍ଥ୍ୟ ଖଣ୍ଡ ଅଧିନରେ ରହିଥିବା ପମ୍ପ ଚାଳକ, ଫିଟର ମିସ୍ତ୍ରୀ, ଇଲେକ୍ଟ୍ରିସିଆନ, ନଳକୂପ ଓ ପାଇପ ଲାଇନ ମରାମତି ମିସ୍ତ୍ରୀ, କାର୍ଯ୍ୟାଳୟର କିରାଣୀ, କମ୍ପ୍ୟୁଟର ଅପରେଟର, ଫିଲଟର ଅପରେଟର ଭାବରେ ୨୮୦ ଜଣ ସିଏଲଆର ଅସ୍ଥାୟୀ କର୍ମଚାରୀ ଦୀର୍ଘ ୧୫ ରୁ ୨୦ ବର୍ଷ ହେବ କାର୍ଯ୍ୟରତ ରହିଛନ୍ତି। ତେବେ ବାରମ୍ବାର କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମଜୁରୀ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅନୁରୋଧ ସତ୍ୱେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏଣୁ ଅସ୍ଥାୟୀ କର୍ମଚାରୀ ମାନେ ଦୈନନ୍ଦିନ ଜୀବନ ନିର୍ବାହରେ ବେଶ ଅସୁବିଧା ଭୋଗ କରୁଛନ୍ତି। ସଂଘ ପକ୍ଷରୁ ସମ୍ବଲପୁର ଜୋନର ଜୋନାଲ ସମ୍ପାଦକ ସଦାଶିବ ବିଶୋଇ, ହରେସ ମହାନନ୍ଦ, ଅନୀଲ ମେହେର, ପ୍ରଭାକର ପୂଜାରୀ, ପ୍ରଶାନ୍ତ ବନଛୋର ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।

Comments are closed.