ରାସରସିକପୁର ସ୍କୁଲରେ ଅନ୍ତରୀକ୍ଷ ଦିବସ

ଆଠଗଡ: ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ଶୁକ୍ରବାର ଜାତୀୟ ଅନ୍ତରୀକ୍ଷ ବା ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ପ୍ରଧାନଶିକ୍ଷକ ଦେବରାଜ ନାୟକ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତର ଅବଦାନ ଓ ଉପଲବ୍ଧି ସମ୍ପର୍କରେ ଅବତାରଣା କରିଥିଲେ। ଗତବର୍ଷ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଚନ୍ଦ୍ରାଯାନ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରିବା ଏବଂ ପ୍ରଥମଥର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରାଯାନ ସଫଳତାର ସହ ଅବତରଣ କରିବା ସମଗ୍ର ବିଶ୍ବବାସୀଙ୍କୁ ଚକିତ କରିଥିଲା, ଯାହା କି ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରଧାନଶିକ୍ଷକ କହିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ମୁରଲୀଧର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଆଗ୍ରହ ପ୍ରକାଶ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଶିକ୍ଷକ ଶଶଧର ମହାରଣାଙ୍କ ସଂଯୋଜନାରେ ବିଜ୍ଞାନ ସମ୍ବନ୍ଧିତ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.