ଆଠଗଡ ବୁଦ୍ଧିଜୀବୀ ସଙ୍ଘର ଅଗଷ୍ଟ ମିଳନ ଉତ୍ସବ

ଆଠଗଡ: ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଙ୍ଘର ଅଗଷ୍ଟ ମିଳନ ଉତ୍ସବ ଶୁକ୍ରବାର ସଂଘ ସମ୍ମିଳନୀ କକ୍ଷରେ ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ନିଖିଳ ଓଡିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ଡାକ୍ତର ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଏବଂ ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇଥିଲେ। ଅତିଥି ଦ୍ୱୟ ବରିଷ୍ଠ ନାଗରିକ ମାନଙ୍କର ଅଧିକାର ଓ ସମାଜ ପ୍ରତି କର୍ତ୍ତବ୍ୟ ଉପରେ ଆଲୋକପାତ କରିବା ସହ ସେମାନଙ୍କର ଅଭିଜ୍ଞତା ଓ ଉପଲବ୍ଧିର ଉପଯୋଗ ସମାଜକୁ ଦିଗଦର୍ଶନ ଦେଇପାରିବ ବୋଲି ମତପ୍ରକାଶ କରିଥିଲେ। ଆଠଗଡ ସଙ୍ଘର ସଭ୍ୟମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଦାବି ଗୁଡିକ ଯଥାର୍ଥ ଦର୍ଶାଇ ତାହାକୁ ପୂରଣ କରିବା ଦିଗରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ମହାସଂଘ ପଦକ୍ଷେପ ନେବ ବୋଲି ସେମାନେ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘର ଦିବଂଗତ ସଭ୍ୟ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସଙ୍ଘର ସାଧାରଣ ସମ୍ପାଦକ ଗିରୀଶ କୁମାର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପଶ୍ଚିମବଙ୍ଗରେ ଘଟିଥିବା ଦୁଖଃଦ ତଥା ମର୍ମନ୍ତୁଦ ଘଟଣା ଆର. ଜି. କର ମେଡିକାଲ କଲେଜର ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସଂଘ ତରଫରୁ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଦୋଷୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କୁ ନିବେଦନ କରାଯାଇଥିଲା।

Comments are closed.