ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କୁ କୋର୍ଟ ଚାଲାଣ

ତିଗିରିଆ: ତିଗିରିଆ ଥାନା ଆଗରେ ସୋମବାର ଅପରାହ୍ଣରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କୁ ତିଗିରିଆ ଥାନା ପୁଲିସ ମଙ୍ଗଳବାର ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ପୁରୁଣା ତିଗିରିଆ ଗ୍ରାମର ସୌମ୍ୟରଞ୍ଜନ ଜେନା ଗତକାଲି ଅପରାହ୍ଣରେ ଥାନା ସମ୍ମୁଖକୁ ଆସି ସେଠାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ଏବଂ ସ୍ଥାନୀୟ ଜନସାଧାରଣ ଉକ୍ତ ଯୁବକକୁ କାବୁ କରି ନେବାରୁ ବଡ଼ ଅଘଟଣରୁ ରକ୍ଷା ମିଳିଯାଇଥିଲା। ଯୁବକ ଜଣଙ୍କର ଜଣେ ନାବାଳିକା ଭଉଣୀ ଘରୁ ନିଖୋଜ ହେବା ପରଠାରୁ ପିତାଙ୍କ ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ନାବାଳିକାକୁ ଉଦ୍ଧାର ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏପରିସ୍ଥଳେ ଭଉଣୀ ନିଖୋଜ ହେବା ପରଠାରୁ ଯୁବକ ଜଣଙ୍କ ଘରେ ନିଜର ପିତାମାତାଙ୍କ ସହ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରିଚାଲିଥିବା ପୁଲିସ ସୁଚନା ପାଇଛି। ଏଣେ ଆତ୍ମହତ୍ୟା ଉଦ୍ୟମ କରିବା ଅପରାଧରେ ଯୁବକ ଜଣଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଆଜି ଅଦାଲତ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

Comments are closed.