ନୁଆଁଖାଇ ପାଇଁ ୩ ଦିନ ଛୁଟି ଦାବି

ସମ୍ବଲପୁର: ସମ୍ବଲପୁରର ଜୱାନ ଇ ହିନ୍ଦ କ୍ଲବ ତରଫରୁ ଆସନ୍ତା ନୁଆଁଖାଇ ଅବସରରେ ୩ ଦିନର ଛୁଟି ଦେବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଦାବି କରାଯାଇଛି। ଶନିବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ସବତ୍ର ଜୋରସୋରରେ ପାଳିତ ହୋଇଥାଏ। ଏହି ପର୍ବ ଅବସରରେ ଦେଶ ବିଦେଶରେ କାମ କରୁଥିବା ପଶ୍ଚିମ ଓଡ଼ିଶାବାସୀ ନିଜର ଘରକୁ ଆସି ପରିବାର ସହିତ ମାଁ ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କୁ ନୂତନ ଚାଉଳରୁ ନିର୍ମିତ ଅନ୍ନ ଭୋଗ ଲାଗି ପରେ ଗ୍ରହଣ କରିଥାନ୍ତି। ଏଣୁ ଦୂର ଦୂରାନ୍ତରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟିଏ ଦିନ ଛୁଟି ଦିଆଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇ ପାରୁ ନାହିଁ। ଏଣୁ ସରକାରୀ ସ୍ତରରେ ୩ ଦିନ ଛୁଟି ଘୋଷଣା କରିଲେ ଜନତା ଉପକୃତ ହୋଇ ପାରିବେ। ଆରଡିସିଙ୍କୁ ପ୍ରଦତ୍ତ ଦାବିପତ୍ରରେ ମହମ୍ମଦ ଇସାକ, ମହମ୍ମଦ ଅନୱର ଅଲ୍ଲୀ, ଗଫୁର ଖାନ, ସୟଦ ସବିର, ଫିରୋଜ ଖାନ, କିଶୋର ଛଚ୍ଛର, ଅବଦୁଲ ହାସିମଙ୍କ ଦସ୍ତଖତ ରହିଛି।

Comments are closed.