କେନ୍ଦୁଝର ଓ ମୟୁରଭଞ୍ଜକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦାବି ଜୋର ଧରିଲା

କେନ୍ଦୁଝରଗଡ଼଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରିପୋର୍ଟ ପ୍ରଦାନ ନିମନ୍ତେ ଆଦେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ଆଦେଶ ପରେ ବିଶେଷ କରି କେନ୍ଦୁଝର ଓ ମୟୁରଭଞ୍ଜ ଜିଲାର ନୂର୍ବତନ ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ମହଲଲେ କେବଳ କେନ୍ଦୁଝର ଓ ମୟୁରଭଞ୍ଜ ଜିଲାକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦାବି ଜୋର ଧରିଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ନେଇ ଗଠିତ ହେବାକୁଥିବା ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନକୁ ବିରୋଧ କରି କେନ୍ଦୁଝରର ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକଙ୍କ ଆବାହକତ୍ୱରେ ବୁଧବାର ଜିଲା ସଂସ୍କୃତି ଭବନ ଠାରେ ଏହି ପରିଷଦର ଆବଶ୍ୟକତା ଓ ଭୌଗଳିକ ସୀମାରେଖା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ପୂର୍ବତନ ତେଲକୋଇ ବିଧାୟକ ପ୍ରାଣବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୟୁରଭଞ୍ଜର ପୂର୍ବତନ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଁସଦା, କେନ୍ଦୁଝରର ପୂର୍ବତନ ଲୋକସଭା ସଦସ୍ୟ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ଶକୁନ୍ତଳା ଲାଗୁରୀ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ବରିଷ୍ଠ ନାଗରିକ କୃଷ୍ଣଚନ୍ଦ୍ର ମହାନ୍ତି, ହିମାଂଶୁ ଶେଖର କୁଅଁର, ରାମ ନାରାୟଣ ଦ୍ୱବେଦୀ ଓ ଆଇନଜୀବୀ ସନ୍ଦୀପ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦ ଆଦିବାସୀ ବହୁଳ ଅବିଭକ୍ତ କେନ୍ଦୁଝର ଓ ମୟୁରଭଞ୍ଜ ଜିଲାକୁ ନେଇ ଗଠନ କରାଯିବା ସହ ଏହାର ମୁଖ୍ୟାଳୟ କେନ୍ଦୁଝର ଠାରେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

Comments are closed.