କଟକ: ଭୁବନେଶ୍ୱର ପାୱାର ହାଉସ ହିଟ୍ ଆଣ୍ଡ ରନ୍ ଘଟଣାରେ ଦୁର୍ଘଟଣା ଘଟାଇଥିବା କାର୍କୁ ପୁଲିସ ସୁରକ୍ଷା ଦେଉଥିଲା ବେଳେ ପରିବହନ ବିଭାଗ ଦ୍ବାରା ଜାରି ହୋଇଥିବା ଚାଲାଣ ଅନ୍ୟକଥା କହୁଛି। ଦୁର୍ଘଟଣା ଘଟାଇଥିବା କାର୍ଟି ଏକାଧିକ ଥର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛି। ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଘଂନ କରିଥିଲେ ମଧ୍ୟ କେବଳ ଚାଲାଣ କାଟିବା ଛଡ଼ା ଆଉ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୁଲିସ। ପାୱାର ହାଉସ ଛକରେ ଏହା ପୂର୍ବରୁ ଏହି କାର୍ ତିନି ଥର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛି। ଗତ ଜୁନ୍ ୧୫ରେ କଟକ ଜଗତପୁରଠାରେ ଅତ୍ୟଧିକ େବଗରେ ଗାଡ଼ି ଚାଳନା ପାଇଁ ଏହି ଗାଡ଼ି ନାଁରେ ଚାଲାଣ କାଟିଛି ପରିବହନ ବିଭାଗ। ଭୁବନେଶ୍ୱର ଏଜି ଛକରେ ଏପ୍ରିଲ ୧୫ରେ ଏକ ଚାଲାଣ କଟିଥିବାବେଳେ ଏପ୍ରିଲ ୩ରେ ମଧ୍ୟ ଚାଲାଣ କଟିଥିଲା।
ଆହତ ଯୁବତୀ ଲୋପାମୁଦ୍ରା ସାହୁଙ୍କ ଶୁକ୍ରବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତ କାହ୍ନୁଚରଣ ନାୟକଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ଏହି ଘଟଣାରେ ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଲୋପାମୁଦ୍ରାଙ୍କ ପରିବାର ଲୋକ।
ସୂଚନା ଅନୁସାରେ, ଅକ୍ଟୋବର ୩୧ ଅପରାହ୍ଣରେ ପାୱାର ହାଉସ ଟ୍ରାଫିକ୍ ଛକରେ ଏକ ମୋଟର ସାଇକଲ ଟ୍ରାଫିକ୍ ସିଗ୍ନାଲ ଅତିକ୍ରମ କରୁଥିବା ବେଳେ ୧୨୦ ବାଟାଲିୟନ ପଟୁ ଦ୍ରୁତଗତିରେ ଆସୁଥିବା ଏକ ରେଞ୍ଜ ରଭର କାର୍ ଧକ୍କା ଦେଇଥିଲା। ଫଳରେ ମୋଟର ସାଇକଲରେ ଥିବା କାହ୍ନୁଚରଣ ଓ ପଛରେ ବସିଥିବା ଲୋପାମୁଦ୍ରା ତଳେ ପଡ଼ି ଆହତ ହୋଇଥିଲେ। ଉଭୟଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଲୋପାମୁଦ୍ରାଙ୍କ ମୁଣ୍ଡରେ ଗଭୀତ ଆଘାତ ଲାଗିଥିଲା। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଧକ୍କା ଦେଇଥିବା ରେଞ୍ଜ ରୋଭର କାର୍କୁ ପୁଲିସ ଜବତ କରିବା ସହ ଚାଳକ ସୌଭାଗ୍ୟ କୁମାର ବାଗକୁ ଗିରଫ କରିଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଏକ ଘରୋଇ କମ୍ପାନୀ ନାଁରେ ପଞ୍ଜୀକରଣ ହୋଇଥିଲାବେଳେ ସଂସ୍ଥାର ନିର୍ଦେଶକ ହେଉଛନ୍ତି ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ। ତେବେ ଦୁର୍ଘଟଣା ଘଟିବା ଦିନ ବିଶାଲ ସେହି ଗାଡ଼ିରେ ବସିଥିଲେ କି ନାହିଁ, ତାହା ଜଣାପଡ଼ି ନାହିଁ। ଭୁଲ ନମ୍ବର ଦର୍ଶାଇ ଗାଡ଼ି ସିଜ୍ କରାଯାଇଥିବା ବେଳେ ପରେ ଏହାର ସଠିକ୍ ଗାଡ଼ି ନମ୍ବର ଦର୍ଶାଇଥିଲା କମିସନରେଟ୍ ପୁଲିସ। ଏହାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ଦୁର୍ଘଟଣା ପରେ ପୁଲିସ ପ୍ରକୃତ ଗାଡ଼ି ବିରାଧରେ ମାମଲା ନ କରି ଆଉ ଏକ ଗାଡ଼ିକୁ ଦର୍ଶାଇଛି। କାର୍ ମାଲିକ ଯିଏ ହୋଇଥାଉ ପଛେ ଲୋପାମୁଦ୍ରାଙ୍କୁ ନ୍ୟାୟ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।



