କଳାକାହ୍ନୁଙ୍କ ପାଇଁ ଭତ୍ତା ସପନ

ବୌଦ୍ଧ: ଗରିବ ହୋଇଥିବେ। ବୟସ ୭୦ରୁ ଊର୍ଦ୍ଧ୍ବ ହୋଇଥିଲେ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରି ଭତ୍ତା ବାବଦରେ ମାସକୁ ୫ଶହ ଟଙ୍କା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରାଇଛନ୍ତି। ଭତ୍ତା ଆଶାୟୀ ଗରିବ,ବୃଦ୍ଧ,ବୃଦ୍ଧା ଚିହ୍ନଟ କରିବାକୁ ସରକାରୀ ବାବୁଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ବୌଦ୍ଧ ବ୍ଲକରେ ଅସଲି ହିତାଧିକାରୀମାନଙ୍କ ପାଇଁ ଭତ୍ତା ସାତ ସପନ ପାଲଟିଛି। ବିଭାଗୀୟ ଅଣଦେଖା ଯୋଗୁଁ ବୟସର ଅପରାହ୍ନରେ ମଧ୍ୟ ବୌଦ୍ଧ ବ୍ଳକ ଗୋଛାପଡ଼ା ପଞ୍ଚାୟତ ଅର୍ନ୍ତଗତ ଅଁଳାଝୁଲି ଗ୍ରାମର କଳାକାହ୍ନୁ ଦନ୍ତା(୭୦)ଭଳି ଅନେକ ବୃଦ୍ଧ ବୃଦ୍ଧା ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କଳାକାହ୍ନୁ ବିଭିନ୍ନ ସମୟରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଭତ୍ତା ପାଇଁ ଆବେଦନ କରଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଭତା ମିଳିପାରିନାହିଁ। କାହ୍ନୁଙ୍କ ସ୍ତ୍ରୀ ଆରପାରିକୁ ଯାଇସାରିଲେଣି। କୌଣସି ଏକ ଦୂରାରୋଗରେ ପିଡିତ ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିନପାରିବାରୁ ସେ ଆରପାରିକୁ ଚାଲିଯାଇଥିଲେ। ଘରେ ଦୁଇ ଦୁଇଟି ବଢ଼ନ୍ତା ଝିଅ। ଏମିତି ଦୁର୍ଦ୍ଦିନ ସମୟରେ କଳାକାହ୍ନୁଙ୍କୁ ଭତ୍ତା ଖଣ୍ଡେ ନମିଳିବା ସରକାରୀ ଯୋଜନାର ଦୁର୍ବଳତାକୁ ପଦାରେ ପକାଉଛି। କଳାକାହ୍ନୁ ଅନେକଥର ଜିଲାପାଳଙ୍କୁ ସାକ୍ଷାତ କରି ଗୁହାରି ଜଣାଇବାକୁ ମନସ୍ଥ କରିଥିଲେ ମଧ୍ୟ ଶରୀର ଓ ସମ୍ବଳ ତାଙ୍କୁ ସହଯୋଗ କରିପାରୁନାହିଁ। ତେଣୁ ଜିଲ୍ଲାପାଳ ଏହି ମାମଲାରେ ହସ୍ତକ୍ଷେପ କରି ଅସହାୟ କଳାକାହ୍ନୁଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ତାଙ୍କୁ ଭତା ଯୋଗାଇ ଦେବାକୁ ଯୁବ ସମାଜିକ କର୍ମୀ ପ୍ରବୋଧ କୁମାର ରଥ ଦାବି କରିଛନ୍ତି।
Comments are closed.