ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା, ଗଣମାଧମ ପ୍ରତିନିଧି ଅଲୋଡ଼ା

ଫୁଲବାଣୀ: ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା। ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଦ୍ୱାରା ଆୟୋଜିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ କହିଲେ, କର୍ମଶାଳା ସହିତ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ ଏବଂ ପ୍ରଭାବଶାଳୀ ଲୋକମାନଙ୍କ ମାଧ୍ୟମରେ ସଚେତନତା ବୃଦ୍ଧିକଲେ ଏହାର ସୁଫଳ ମିଳିପାରିବ। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ। ହ୍ୟୁମାନିଟେରିଆନ୍‌‌ ଲିଡ୍‌‌ ଦେବବ୍ରତ ପାତ୍ର ଏବଂ ଅନ୍ୟତମ ଅଧିକାରୀ ବି.ଏନ୍‌‌. ଦୁର୍ଗା ଏହି କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ କେଉଁ ମହିଳାମାନଙ୍କୁ ,କେଉଁ ଉଦ୍ଦେଶ୍ୟରେ, କେଉଁମାନେ ଆତ୍ମଘୋଷିତ ଗୁଣିଆମାନଙ୍କଦ୍ୱାରା ଶିକାର କରିଥାନ୍ତି ତା’ଉପରେ ଆଲୋଚନା କରିଥିଲେ। ବିଶେଷ କରି ଏକାକୀ ରହୁଥିବା ମହିଳା କିମ୍ବା ବିଧବା ମହିଳାମାନଙ୍କର ଜମି ଓ ଘରକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଡାହାଣୀ ଆଖ୍ୟା ଦେଇ ଗାଁର ଲୋକମାନଙ୍କଦ୍ୱାରା ଗାଁରୁ ବିତାଡ଼ିତ କରିଥାନ୍ତି। ସେମାନେ ସେମାନଙ୍କ ପରିବାର ସହିତ ଅପମାନରୁ ରକ୍ଷାପାଇବା ପାଇଁ ବହୁ ଦୂରକୁ ଚାଲିଯାଆନ୍ତି। ଯଦିବା କିଏ ଅପମାନକୁ ସହ୍ୟ କରି ଗାଁରେ ରୁହନ୍ତି ତେବେ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥାଏ। ସେମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୩୦ ଭାଗ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥାଏ।

ଏହି ଆତ୍ମଘୋଷିତ ଗୁଣିଆମାନେ ବିଭିନ୍ନ ପ୍ରକାର ରୋଗ ଭଲ କରିପାରୁଛନ୍ତି ବୋଲି ସେହି ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇଥାନ୍ତି। ଫଳରେ ସେମାନେ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଏହିଭଳି ଗୁଣିଆମାନଙ୍କ ପାଖକୁ ଯାଆନ୍ତି ଏବଂ ଶେଷ ଅବସ୍ଥାରେ ଡାକ୍ତରଖାନାକୁ ଯାଇ ମୃତ୍ୟୁବରଣ କରିଥାନ୍ତି। ଡାହାଣୀ ଶିକାର ପ୍ରତିରୋଧ ପାଇଁ ଗୋଷ୍ଠୀ ସ୍ତରରେ, ଜିଲ୍ଲା ସ୍ତରରେ, ତଥା ରାଜ୍ୟ ସ୍ତରରେ ନୂଆ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ତେବେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଗଣମାଧ୍ୟମ ଯେଉଁଠି ଶିକାର ହେଉଥିବା ମହିଳାମାନଙ୍କ ସୁରକ୍ଷା ଦେବାପାଇଁ ପଦକ୍ଷେପ ନେଉଛନ୍ତି ସେଠି ଜବରଦଖଲକାରୀ ତଥା ଅନ୍ଧବିଶ୍ୱାସୀ ଗ୍ରାମବାସୀମାନେ ପୀଡ଼ିତାମାନଙ୍କର କିଛି କ୍ଷତି କରିପାରନ୍ତି ନାହିଁ। ଉପ- ଆରକ୍ଷୀ ଅଧିକ୍ଷକ କମଳାକାନ୍ତ ପଣ୍ଡା କହିଲେ, ଓଡ଼ିଶା ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାହାଣୀ ଶିକାର ଏକ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ। କେହି ଯଦି କୌ÷ଣସି ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଦୋଷାରୋପ କରେ କିମ୍ବା ଡାହାଣୀ ଶିକାର କରିବା ପାଇଁ ଅନ୍ୟକୁ ଉସ୍‌‌କାଇଥାଏ ତେବେ ସେହି ଲୋକକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଅର୍ଥିି ଜୋରିମନା କରାଯିବ। ଯଦି ତା’ର ମାନବିକ ସମ୍ମାନକୁ ଅପମାନିତ କରେ କିମ୍ବା ଘରୁ ବିସ୍ଥାପିତ କରାଯାଏ ତାହାହେଲେ ଅଭିଯୁକ୍ତକୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯିବ। ଏହି ଆଇନ ଅଧିନରେ ଯଦି କୌଣସି ବ୍ୟକ୍ତି ପୂର୍ବରୁ ଦଣ୍ଡିତ ହୋଇସାରିଛି ଏବଂ ଆଇନ ଅନୁଯାୟୀ ଦ୍ୱିତୀୟବାର ଦୋଷୀ ସାବ୍ୟସ୍ତ ହେଉଛି, ତେବେ ତାକୁ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌‌ ଦଣ୍ଡ ଏବଂ ୧୦ହଜାର ଟଙ୍କା ବା ତଦୁର୍ଦ୍ଧ ଜୋରିମନା ଦଣ୍ଡରେ ଦଣ୍ଡିତ କରାଯିବ। ସେହିପରି ବରିଷ୍ଠ ଆଇନଜୀବୀ ବିଜୟକୃଷ୍ନ ପଟ୍ଟନାୟକ କହିଲେ ଆଇନର ଧାରା ୪,୫,୬,୭, ଓ ୮ ଅନୁଯାୟୀ ଜୋରିମନା ଦଣ୍ଡାଦେଶ ଦେବା ସମୟରେ ପୀଡ଼ିତାର ଶାରୀରିକ ତଥା ମାନସିକ କ୍ଷତିକୁ ବିଚାରକୁ ନେବା ସହିତ ସମ୍ପତ୍ତିର କ୍ଷତି ଏବଂ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ବିଚାରକୁ ନେବେ। ତେବେ ଅଧକାଂଶ ସମୟରେ ପୀଡ଼ିତାମାନେ ଗାଁ ଲୋକଙ୍କ ବିରୋଧରେ କହିପାରନ୍ତି ନାହିଁ। ସେପରିସ୍ଥଳେ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌‌ ପ୍ରଶାସନ ହିଁ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କହିଲେ, ଯେଉଁ ଅଂଚଳରେ ଏହି ସବୁ ଘଟଣା ଘଟୁଛି ସେହି ଅଂଚଳରେ ସଭା ସମିତି ଓ ନାଚଗୀତ ମାଧ୍ୟମରେ ସେହି ଅନ୍ଧବିଶ୍ୱାସୀ ମାନଙ୍କୁ ସଚେତନ କରାଯାଇପାରିଲେ ଏହିଭଳି ଡାହାଣୀ ଶିକାରକୁ କେତେକାଂଶରେ ରୋକାଯାଇପାରିବ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ଆକ୍ସନ୍‌‌ ଏଡ୍‌‌ ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ନାୟକ ପରିଚାଳନା କରିଥିଲେ। ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଲ୍ୟାଣୀ ମିଶ୍ର ଓ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନଙ୍କ ସମେତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ତେବେ ସଚେତନତା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଅନୁଷ୍ଠିତ ଏହି ଜିଲା ସ୍ତରୀୟ କର୍ମଶାଳାକୁ ଗଣମାଧ୍ୟମକୁ ସଂପୂର୍ଣ୍ଣଭାବେ ବାରଣ କରାଯିବା ସହିତ କୌଣସି ପ୍ରକାର ସୂଚନା ମଧ୍ୟ ଦିଆଯାଇନଥିବା ବେଳେ ଏହାକୁ ନେଇ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

Comments are closed.