ଭୁବନେଶ୍ବର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟର ଦୁଇଦିନ ଆଗରୁ ମୌସୁମୀ ଫେରି ଯାଇଛି। ସ୍ବାଭାବିକ ଭାବରେ ଅକ୍ଟୋବର ୧୫ରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶା ଛାଡ଼ିଥାଏ ଏବଂ ତାହା ପୂର୍ବରୁ ଅକ୍ଟୋବର ୧୦ରୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥାଏ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୯ ତାରିଖରୁ ପଶ୍ଚିମ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏସନ ଜୁନ୍ ୨୨ରେ ଓଡ଼ିଶାରେ ମୌସୁମୀ ପାଦ ଥାପିଥିଲା। ସ୍ବାଭାବିକ ଭାବେ ଜୁନ୍ ୧୦ରୁ ୧୫ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ; କିନ୍ତୁ ନିର୍ଦ୍ଧାରିତ ସମୟରୁ ପ୍ରାୟ ଗୋଟିଏ ସପ୍ତାହ ବିଳମ୍ବରେ ମୌସୁମୀ ଆସିଥିଲା। ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଥିଲେ ମଧ୍ୟ ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଥିଲା। ସେପ୍ଟେମ୍ବରରେ ସ୍ବାଭାବିକରୁ ଅଧିକ ବର୍ଷା ହେବା ଦ୍ବାରା ନିଅଣ୍ଟିଆ ବର୍ଷା ଭରଣା ହୋଇଥିଲା। ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ଥିବାରୁ ଗୋଟିଏ ଦିନ ଆଗରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ମୌସୁମୀ ପ୍ରାୟତଃ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଛି।
ଆଶ୍ବିନ ମାସରେ ଗ୍ରୀଷ୍ମ ଋତୁ ପରି ଦିନ ଓ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ୧୪ଟି ସ୍ଥାନରେ ଦିନ ତାପମାତ୍ରା ୩୫ଡିଗ୍ରୀ ଉପରେ ରେକର୍ଡ ହୋଇଛି। ସବୁଠୁ ଅଧିକ ଦିନ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ୩୬.୪, ବାଲେଶ୍ବର ୩୫.୬, ପାରାଦ୍ବୀପ ୩୫.୨, ଭୁବନେଶ୍ବର ୩୫, ଅନୁଗୋଳ ୩୫.୧, ସମ୍ବଲପୁର ୩୫.୫, ମାଲକାନଗିରି ୩୫.୨, ସୁବର୍ଣ୍ଣପୁର ଓ ନୟାଗଡ଼ ୩୫, ବୌଦ୍ଧ ୩୫.୫, ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫.୪ ଏବଂ ବରଗଡ଼ ୩୫.୩ ଡିଗ୍ରୀ ରହିଛି। ଉପରୋକ୍ତ ଅଞ୍ଚଳରେ ଆର୍ଦ୍ରତା ୮୦%ରୁ ଅଧିକ ରହିବାରୁ ଦିନ ଓ ରାତିରେ ଗୁଳୁଗୁଳି ହେଉଥିବା ଜଣାପଡିଛି। ଭୁବନେଶ୍ବରରେ ବାୟୁମଣ୍ଡଳ ଆର୍ଦ୍ରତା ୮୦ ପ୍ରତିଶତ ଥିବାବେଳେ ଗୋପାଳପୁର ୮୧, ସୁନ୍ଦରଗଡ଼୮୪, ଖୋର୍ଦ୍ଧା ଓ ନବରଙ୍ଗପୁର ୮୯, ଜଗତସିଂହପୁର ୯୨ ଏବଂ କେନ୍ଦ୍ରାପଡ଼ାରେ ୯୦ ପ୍ରତିଶତ ରେକର୍ଡ ହୋଇଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ଏହି ଅବଧି ମଧ୍ୟରେ ଦିନ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା ରହିଛି। ଅର୍ଥାତ ଆଗାମୀ ୫ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ଥିବାରୁ ତାତି ଆହୁରି ବଢ଼ିବା ଆଶଙ୍କା ରହିଛି। ଆଗାମୀ ୪ ଦିନ ରାଜ୍ୟର ପାଗ ଶୁଖିଲା ରହିବା ସହ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ଅନୁଗୋଳରେ ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଦଶହରା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୭ରୁ ୧୯ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୨୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଘନୀଭୂତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆରବ ସାଗରର ଗୁଜୁରାଟ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗୁରୁଚାପ ଦୁର୍ବଳ ଥିବାରୁ ୧୮ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।



