ଗୋପାଳପୁର: ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ପାଳିତ ହେଉଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଠାରେ ଥିବା ସିଦ୍ଧି ବିନାୟକ ମନ୍ଦିର ସମେତ ପୁରପଲ୍ଲୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଗଣେଶ ଙ୍କ ପୂଜାର୍ଚ୍ଚନା ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ରେ ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିର ପରିସରରେ ପୂଜାରୀ ମାନଙ୍କ ଦ୍ବାରା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ୪.୩୦ରେ ସାଧାରଣ ଭକ୍ତଙ୍କ ନିମନ୍ତେ ମନ୍ଦିର ଦ୍ବାରା ଖୋଲାଯାଇଥିଲା। ଗତ ବର୍ଷ ପରି ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରଣ୍ଢା ଛକରୁ ସ୍ବତନ୍ତ୍ର ଅଟୋର ବ୍ୟବସ୍ଥା ସହ ଏଥିରେ ବୟୋଜ୍ୟେଷ୍ଠ ଓ ଶିଶୁ ମାନଙ୍କୁ ନେବା ଆଣିବା ନିମନ୍ତେ ନିୟୋଜିତ କରାଯାଇଥିଲା। ଭକ୍ତମାନଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ଦୁଇଟି ସ୍ବତନ୍ତ୍ର ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଥିଲା।
ଏହାସହ ମନ୍ଦିର ପରିସରରେ ମଧ୍ୟ ଦିବ୍ୟାଙ୍ଗଙ୍କ ଦର୍ଶନ ନିମନ୍ତେ ସୁବ୍ୟବସ୍ଥିତ ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟି ପକ୍ଷରୁ ଲଡୁ ଓ ଖେଚୋଡି ବିକ୍ରି ର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହାନ୍ତଙ୍କ ପକ୍ଷରୁ ରଣ୍ଢା ଛକ ଠାରୁ ମନ୍ଦିର ପରିସର ପର୍ୟ୍ୟନ୍ତ ପୁଲିସ ବ୍ୟବସ୍ଥା କରାଯାଇଥିଲା। ୨ପ୍ଲାଟୁନ ପୁଲିସ ଫୋର୍ସ ସହ ୧୨ ଜଣ ଏସଆଇ, ଏଏସଆଇ ମୁତୟନ ସହ ୨ ଜଣ ଡିଏସପି , ୩ଜଣ ଇନ୍ସପେକ୍ଟର ପରିଚାଳନା ଦାୟିତ୍ବରେ ଥିଲେ। ମେଡିକାଲ ଟିମ, ଅଗ୍ନିଶମ ବିଭାଗ ମଧ୍ୟ ନିୟୋଜିତ ରହିଥିଲେ। ଏହି ଯାତ୍ରାରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
ପାଟଣା ବ୍ଲକ ମୁଖ୍ୟାଳୟ ଓ ପ୍ରମୁଖ ସ୍ଥାନ ମାନଙ୍କରେ ଗଣେଶ ପୂଜା ଧୁମଧାମରେ ପାଳନ କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଯୁବକ ସଙ୍ଘ ମାନଙ୍କ ପକ୍ଷରୁ ଗଣେଶ ପୂଜା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କୁ ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ନଡ଼ିଆ ଭୋଗ ରାଗ ଫୁଲ ଓ ବହି ପ୍ୟାକେଟ ଧରି ଯିବା ସହ ପୂଜାରେ ସାମିଲ ହୋଇ ଗଣେଶଙ୍କୁ ଆରାଧନା ଓ ପୁଷ୍ପାଞ୍ଜଳି ଦେଇଛନ୍ତି। ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ, ପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଧୁପଡା ପ୍ରାଥମିକ ବିଦ୍ୟାଳୟ, ଆବାସିକ ଶିଶୁ ବିଦ୍ୟାମନ୍ଦିର, ଡୁମୁରିଆ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଲ୍ଲୀପଶି ବିବେକାନନ୍ଦ ଶିକ୍ଷା କେନ୍ଦ୍ର, କେନ୍ଦେଇପଶି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖୁଣ୍ଟାପଡ଼ା ହନୁମାନ ଛକ, ତୁରୁମୁଙ୍ଗା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ, ତୁରୁମୁଙ୍ଗା ଉଚ୍ଚ ବିଦ୍ୟାଳୟ, ତୁରୁମୁଙ୍ଗା ବିଦ୍ୟାବାଟିକା, ରାଜନଗର ଉଚ୍ଚ ବିଦ୍ୟାଳୟ, ଖିରେଇଟାଙ୍ଗିରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଟାଙ୍ଗରପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ରାଜନଗର ଉଚ୍ଚ ବିଦ୍ୟାଳୟ, ନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆଦି ବିଭିନ୍ନ ଶିକ୍ଷାୟତନରେ ଗଣେଶ ପୂଜା ହର୍ଷ ଉଲ୍ଲାସ ଓ ଭକ୍ତି ଭରା ପରିବେଶରେ ପାଳନ କରାଯାଇଛି।
ଢେଙ୍କିକୋଟ ଓ ଏହାର ଆଖପାଖ ଅଞ୍ଚଳରେ ବିଘ୍ନନାଶନ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ,ଯୁବକ ସଂଘ ଓ ଅନ୍ୟାନ୍ୟ ସ୍ଥାନରେ ଧୂମଧାମରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି। ଢେଙ୍କିକୋଟ ଆଦର୍ଶ ବିଦ୍ୟାଳୟ, ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟନାରାୟଣ ବିଦ୍ୟାପୀଠ, ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁରୁକୂଳ ଶିଷ୍ୟା, ସି ନେଟ କମ୍ପ୍ୟୁଟର, ବିନ୍ଦାସ କ୍ଲବ୍, ଦିଲଦାର କ୍ଲବ୍, ଗାୟତ୍ରୀ ଫର୍ନିଚର୍, ମିନକେତନ ସାହୁ ଆଣ୍ଡ ସନ୍ସ, ଆର୍ୟ୍ୟଭଟ୍ଟ ଏଜୁକେସନ୍, ପଲେଇ କୋଚିଂ ସେଣ୍ଟର, ମିଶ୍ର କମ୍ୟୁନିକେସନ, ବାରିକ କମ୍ପ୍ଲେକ୍ସ, ପିପିଳିଆ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ନିତାଇଗୌର ଉଚ୍ଚ ବିଦ୍ୟାଳୟ ଆଦି ଶିକ୍ଷାୟତନରେ ଗଣେଶ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ପ୍ରାୟ ସମସ୍ତ ସ୍ଥାନରେ ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ତିଗିରିଆ ବ୍ଳକର ପୁରପଲ୍ଲୀରେ ଅଗ୍ରପୂଜ୍ୟ ଗଜାନନଙ୍କ ପବିତ୍ର ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଗାଁ ଗହଳି ଠାରୁ ଆରମ୍ଭ କରି ହାଟ ବଜାର ପର୍ୟ୍ୟନ୍ତ ଗଢ଼ି ଉଠିଥିବା ଶତାଧିକ ଯୁବ ସଂଗଠନ, କ୍ଳବ୍, ଗୋଷ୍ଠୀ ଘର ପକ୍ଷରୁ ମଧ୍ୟ ଗଣେଶଙ୍କ ପୂଜା ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଯୁବ ପୀଢ଼ିଙ୍କ ଦ୍ବାରା ବହୁଳ ଭାବେ ଗଣପତିଙ୍କ ପୂଜାପର୍ବ ଆୟୋଜନ କରାଯାଉଥିବାରୁ ପୂଜା ମଣ୍ଡପ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ତେବେ ଅଞ୍ଚଳର ପ୍ରମୁଖ ବଜାର ବ୍ୟବସ୍ଥା ଥିବା ନୂଆପାଟଣା, ତିଗିରିଆ ନିଜିଗଡ଼ ଏଵଂ ପାଞ୍ଚଗାଁରେ ଗଣପତିଙ୍କ ପୂଜା ବେଶ ଜାକଜକମରେ ପାଳିତ ହେଉଛି। ମଙ୍ଗଳବାର ଠାରୁ ବିଭିନ୍ନ ଯୁବ କ୍ଳବ୍ ପକ୍ଷରୁ ପୂଜା ଆରମ୍ଭ ହୋଇଛି। ନୂଆପାଟଣା ଅଞ୍ଚଳରେ ସର୍ବାଧିକ ଛୋଟ ବଡ଼ ୩୦ରୁ ଉର୍ଦ୍ଧ୍ବ ମଣ୍ଡପ, ପାଞ୍ଚଗାଁରେ ୧୨ଟି ମଣ୍ଡପ ଏବଂ ତିଗିରିଆ ନିଜିଗଡ଼ରେ ୬ ଗୋଟି ମଣ୍ଡପରେ ଗଣେଶଙ୍କ ମୃଣ୍ମୟ ପ୍ରତିମା ପୂଜା ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକୁ ପ୍ରତିଯୋଗିତା ମୂଳକ ଭାବେ ବେଶ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିବା ବେଳେ ଏହାର ଚାରି ପାଖକୁ ରଙ୍ଗୀନ ଆଲୋକ ମାଳରେ ସୁସଜ୍ଜିତ କରାଯାଇଛି। ଏହି ସବୁ ସ୍ଥାନରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରାଯିବାକୁ ତିଗିରିଆ ଥାନା ପୁଲିସ ପକ୍ଷରୁ ପୂର୍ବରୁ ଆୟୋଜକ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତାଙ୍କୁ ନେଇ ବିଦ୍ଧିବଦ୍ଧ ଆଲୋଚନା ହୋଇଛି। ପୂର୍ବ ନିର୍ଦ୍ଧାରିତ ନିଷ୍ପତିକୁ ପାଳନ କରି ପୂଜା ଜାରି ରହିଥିବା ବେଳେ ପର୍ୟ୍ୟାୟ କ୍ରମିକ ଭାବେ ଥାନା ଅନୁମତି କ୍ରମେ ଆଗାମୀ ଦିନରେ ପୃଥକ ପୃଥକ୍ ଭସାଣି ପର୍ବ ଅନୁଷ୍ଠିତ ହେବ। ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ସେହିପରି ଆଜି ଗଣେଶ ଚତୁର୍ଥୀ ଅବସରରେ ପାଞ୍ଚଗାଁ ନିୟୁ ଆସୋସିଏସନ୍ ପକ୍ଷରୁ ସାଧାରଣ ଶ୍ରଦ୍ଧାଳୁଙ୍କୁ ଖିରି ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପୂଜା ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତିଗିରିଆ ପୁଲିସ ପକ୍ଷରୁ ଫୋର୍ସ ମୃତୟନ କରାଯିବା ସହିତ ଅଧିକ ପେଟ୍ରୋଲିଂ ଉପରେ ଗୁରୁତ୍ଵ ଦିଆଯାଇଛି।
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଠଗଡ଼ର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ତେବେ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ଗଣେଶ ପୂଜାରେ ବର୍ଷା ବାଧକ ସାଜିଛି। ଅପରାହ୍ନ ପ୍ରାୟ ୧.୩୦ରୁ ଝିପିଝିପି ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ୮.୦୦ପର୍ୟ୍ୟନ୍ତ ଲାଗି ରହିଥିବାରୁ ପୂଜା ମଣ୍ଡପ ଗୁଡିକରେ ଜନସମାଗମ ଦେଖିବାକୁ ମିଳୁନାହିଁ। ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା ସ୍ନାତକ ଓ କନିଷ୍ଠ କଲେଜ, ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, କନ୍ତୋଲର ଅଚ୍ୟୁତାନନ୍ଦ ବିଦ୍ୟାପୀଠ, ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ ସ୍କୁଲ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ବାଣୀକଣ୍ଠନଗର ସରସ୍ୱତୀ ଶିଶୁ ମନ୍ଦିର, ରାସରସିକପୁର ସରସ୍ୱତୀ ଶିଶୁ ମନ୍ଦିର, ରାସରସିକପୁର ୟୁଜିୟୁପି ସ୍କୁୁଲ, ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଟାଉନ ଏମଇ ସ୍କୁଲ, ଜୋରନ୍ଦାର ଏମଏସଏସ ବିଦ୍ୟାପୀଠ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ବେଶ୍ ଯାକଜମକରେ ପାଳିତ ହୋଇଯାଇଛି। ସେହିପରି ଆଠଗଡ଼ର ଅଗ୍ରଣୀ କ୍ଲବ ଗୁଡିକ ମଧ୍ୟରେ ସ୍ୱପ୍ନେଶ୍ୱର ବଜାରସ୍ଥିତ ଫ୍ରେଣ୍ଡସ୍ କ୍ଲବ୍ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରୁଥିବାରୁ ଅତି ସୁନ୍ଦର ଭାବେ ସାଜସଜ୍ଜା ସାଙ୍ଗକୁ ମେଲୋଡି କାର୍ୟ୍ୟକ୍ରମ ଆୟୋଜନ କରୁଥିବା ଜଣାପଡ଼ିଛି। ସେହିପରି ଗଦାସାହିର ଗୋଲଡେନ କ୍ଲବ, ପଦ୍ମସାହି କ୍ଲବ, ସାରା ଆକାଶ କ୍ଲବ ଓ ବୀରକିଶୋରପୁରର ମା ମଙ୍ଗଳା କ୍ଲବ, କନ୍ତୋଲର ଚଣ୍ଡୀ କ୍ଲବ ସମେତ ଅନ୍ୟ ବହୁ କ୍ଲବ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବେଶ୍ ଧୁମ୍ଧାମ୍ରେ ଗଣପତିଙ୍କ ପୂଜାର୍ଚ୍ଚନା କରୁଛନ୍ତି। କେତେକ କ୍ଲବ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରୁଛନ୍ତି।
ଚୌଦ୍ୱାର ଅଞ୍ଚଳରେ ସିଦ୍ଧିଦାତା ଗଜାନନଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଛି। ଅଞ୍ଚଳରେ ଥିବା ବିଭିନ୍ନ କ୍ଲବ୍, ବିଦ୍ୟାଳୟ, ମହା ବିଦ୍ୟାଳୟ, ବୈଷୟିକ ଅନୁଷ୍ଠାନ ତଥା ସାମାଜିକ ଅନୁଷ୍ଠାନ ଆଦିରେ ରୀତିନୀତି ଓ ନିଷ୍ଠାର ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କରାଯାଇଛି। କ୍ଲବ୍ ଗୁଡ଼ିକଦ୍ୱାରା ପୂଜା ମଣ୍ଡପ ଗୁଡ଼ିକୁ ଅକର୍ଷଣୀୟ ଭାବେ ସାଜା ଯାଇଛି। ଦିଅଁ ଦର୍ଶନ ପାଇଁ ସଂଧ୍ୟାରେ ପୂଜା ମଣ୍ଡପ ମାନଙ୍କରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।



