ସୁନ୍ଦରଗଡ଼ : ନିର୍ମାଣଧିନ ଥିବା ଏନ୍ଟିପିସି ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି କୋଭିଡ୍-୧୯ର ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ ପ୍ରମୁଖ ରହିଥିବା ବେଳେ ସୁନ୍ଦରଗଡ଼ ହସ୍ପିଟାଲ ପରିସରରେ ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ର, ଏନ୍ଟିପିସି ଦର୍ଲିପାଲିର ସିଜିଏମ ସୁନିଲ କୁମାର ସତ୍ୟ ସମେତ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସୁନ୍ଦରଗଡ଼ଠାରେ ଏହି ହସ୍ପିଟାଲ ଆରମ୍ଭ ହୋଇଥିବାରୁ ସୁନ୍ଦରଗଡ଼ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆନନ୍ଦ ଖେଳିଯାଇଛି ।
ସୂଚନା ଯୋଗ୍ୟ, ଏହା ପୂର୍ବରୁ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ କୋଭିଡ୍-୧୯ ପାଇଁ ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲରେ ଦୁଇ ଶହ ଶଯ୍ୟା ରହିଥିବା ବେଳେ କେବଳ କରୋନା ପଜିଟିଭ୍ଙ୍କ ପାଇଁ ତୃତୀୟ ମହଲାରେ ୧୫ଟି ସ୍ୱତନ୍ତ୍ର କକ୍ଷ ପ୍ରସ୍ତୁତ କରାଯାଇଛି । ଏଠାରେ ଆବଶ୍ୟକ ବିଶେଷଜ୍ଞ ସମେତ ୧୦ଜଣ ଡାକ୍ତର ଓ ୧୫ଜଣ ସେବିକା, ପରୀକ୍ଷାଗାର ସହାୟକ, ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି ।



