ଅବ୍ୟବହୃତ ଅବସ୍ଥାରେ ଥିବା ପଡ଼ିଆର ଗୋଟିଏ କୋଣରେ ପଶୁର ଶବଟି ପଡ଼ିଥାଏ। ମାଂସ ଖାଇବା ପାଇଁ ବହୁ ସଂଖ୍ୟକ ଗୃଧ୍ର ଏକତ୍ର ହୋଇଥାନ୍ତି। ପରସ୍ପର ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥାଏ ଖାଦ୍ୟ ଖାଇବା ନିମନ୍ତେ। ମାଂସ ସଂଗ୍ରହ ଉଦ୍ଦେଶ୍ୟରେ ରୀତିମତ ଚେଷ୍ଟା କରି ସେମାନଙ୍କ ମଧ୍ୟରୁ କେତେକ ବିଫଳ ହେଲେ ବି େଚଷ୍ଟା ଜାରି ରଖିଥାନ୍ତି। ପରସ୍ପର ଭିତରେ ମଧ୍ୟେମଧ୍ୟେ ଲଢ଼େଇ ବି ଲାଗି ଯାଉଥାଏ। ଏଭଳି ସ୍ଥିତିରେ କିଛି ଗୃଧ୍ର ଲହୁଲୁହାଣ ହୋଇଯାଇଥାନ୍ତି, ହେଲେ ସଫଳତା କେହି ବି ପାଇ ନଥିଲେ। କାରଣ ପ୍ରତ୍ୟେକ ଗୃଧ୍ର ଚେଷ୍ଟା କରୁଥାନ୍ତି ସଫଳତା ନିଜ ବ୍ୟତୀତ ଅନ୍ୟ କାହାରିକୁ ନ ମିଳୁ। ଏଭଳି ସମୟରେ ଛଳ-ବଳ-କୌଶଳରେ ଏକ ଗୃଧ୍ର ବାଜି ଜିତିଗଲା। ମାଂସର ଏକ ବଡ଼ ଟୁକୁଡ଼ା ହାତେଇବାରେ ସଫଳ ହୋଇ ସ୍ଥାନ ତ୍ୟାଗ କରି ଉଡ଼ିଯାଇଥିଲା।
ଥଣ୍ଟରେ ମାଂସ ଖଣ୍ଡ ଧରି ଉଡ଼ି ଯାଉଥିବାବେଳେ ବେଢ଼ିଥିବା ଗୃଧ୍ର ଫଉଜ ତା’ର ପିଛା କରିଥିଲେ। ମାଂସ ଖଣ୍ଡ ଧରିଥିବା ଗୃଧ୍ର ବିଚରା ତୀବ୍ର ଗତିରେ ଉଡ଼ୁଥାଏ। ହେଲେ ଦଳ ତା’ର ପିଛା ଛାଡ଼ୁ ନଥାନ୍ତି। ସବୁ ଗୃଧ୍ର ଏକ, ସେମାନଙ୍କର ଶତ୍ରୁ କିନ୍ତୁ ଜଣେ। ଲଢ଼ୁଆ ଗୃଧ୍ର ସେନା ପିଛା ଛାଡ଼ୁନଥାନ୍ତି। ଗୃଧ୍ର ଏବେ ଚକ୍ରାକାର ବ୍ୟୂହ ଭିତରେ ବୁଲିବାକୁ ଲାଗିଲା। ଏମିତି କିଛି ସମୟ ବିତିଗଲା। ଏଭଳି ଅନୁଧାବନ, ଆକ୍ରମଣ ଆଶଙ୍କାରେ ଉଡ଼ଉଡ଼ି କ୍ଲାନ୍ତ ହୋଇ ପଡ଼ିଥିବା ଗୃଧ୍ରର ଥଣ୍ଟରୁ ମାଂସ ଖଣ୍ଡ ଅକସ୍ମାତ ଖସି ପଡ଼ିଥିଲା। ପିଛା କରୁଥିବା ଗୃଧ୍ର ମଧ୍ୟରୁ ଗୋଟିଏ ଗୃଧ୍ର ତତ୍କ୍ଷଣାତ୍ ତାକୁ ମାଟିରୁ ଉଠାଇ ନେଇ ଉଡ଼ିବାରେ ଲାଗିଥିଲା, ଅନ୍ୟ ଗୃଧ୍ରମାନେ ପ୍ରଥମ ଗୃଧ୍ରକୁ ଛାଡ଼ି ଦ୍ବିତୀୟ ଗୃଧ୍ର (ମାଂସ ଥଣ୍ଟରେ ଥିବା)ର ପିଛା କରିଥିଲେ। ପୂର୍ବର ସେହି ଖେଳ ଚାଲିଥିଲା। ଖାଦ୍ୟ ହରାଇଥିବା ଗୃଧ୍ର ଆଶ୍ବସ୍ତ ହୋଇଥିଲା ଏଇଥି ପାଇଁ ଯେ ଏବେ ଆଉ କାହାରିଠାରୁ ତା’ଉପରେ ଆକ୍ରମଣ ଆଶଙ୍କା ନଥିଲା। ଏ ପ୍ରସଙ୍ଗରେ କୁହାଯାଇପାରେ ଯେତେ ଅଧିକ ଲାଳସା, ଲୋଭ, ଦୁଃଖ ସେତେ ଅଧିକ। ଏଥିପାଇଁ ଉପନିଷଦରେ କୁହାଯାଇଛି ଲାଳସା ତ୍ୟାଗ କର। ଯଦି କ୍ଷୁଦ୍ର ମାଂସ ଖଣ୍ଡରେ ଗୃଧ୍ର ତୁଷ୍ଟ ହୋଇ ସେହିଠାରେ ଖାଇପାରିଥାନ୍ତା, ତେବେ ଏଭଳି ଦୁର୍ଦଶାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। ବଡ଼ ମାଂସ ଖଣ୍ଡର ଲାଳସା, ଲୋଭ ହିଁ ଏହି ଦୁର୍ଗତିକୁ ଆମନ୍ତ୍ରଣ କରି ଆଣିଥିଲା।




