www.samajalive.in
Monday, December 8, 2025
14.1 C
Bhubaneswar

ହାତ ଟେକିଦେଲେ ମନ୍ତ୍ରୀ, ଅଭାବରୁ ୧୬ ଜିଲାରେ ଟିକାକରଣ ବାତିଲ

ଭୁବନେଶ୍ୱର: ରାଜ୍ୟରେ ‘କୋଭିସିଲ୍ଡ’ ଟିକାର ଘୋର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଇ ପାରୁନାହିଁ। ଟିକାର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘କୋ-ୱିନ୍‍’ ପୋର୍ଟାଲ ଜରିଆରେ ଯାହାକୁ ବାର୍ତା ଯାଉଛି ସେ ମଧ୍ୟ ଟିକା ନେଇ ପାରୁନାହିଁ। ଏହାବାଦ୍‍ କେତେକ ସ୍ଥାନରେ ଟିକାକରଣ ହେବ ଏବଂ ଟିକା ମିଳିବ ବୋଲି ଜନସାଧାରଣଙ୍କୁ ବାର୍ତା ଯାଉଥିଲେ ହେଁ ତାହା ମିଳୁନାହିଁ। ଏହାକୁ ନେଇ ରାଜ୍ୟର କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଶତାଧିକ ଲୋକ ଏବେ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି। ତେବେ ଯେଉଁ ଟିକାକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତାକୁ ବ୍ୟାପକ କରାଯାଉଛି ଏବଂ ଟିକା ନେଲେ ସଂକ୍ରମଣ କମିବ ବୋଲି କୁହାଯାଉଛି ସେ କ୍ଷେତ୍ରରେ ଟିକାର ଅଭାବ ଏବେ ରାଜ୍ୟରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଚଳିତମାସ ୨୧ରୁ ସମସ୍ତଙ୍କୁ ମାଗଣା ଟିକା ମିଳିବ। ସବୁ ରାଜ୍ୟକୁ ୭୫:୨୫ ଅନୁପାତରେ ଟିକା ମିଳିବ। ହେଲେ ସେହି ଅନୁପାତରେ ଟିକା ମିଳୁନାହିଁ। ଅନ୍ୟପକ୍ଷରେ ଯେଉଁ ରାଜ୍ୟ ନଷ୍ଟ ଟିକା ଅଧିକ ବଞ୍ଚାଇବ ଏବଂ ଅଧିକ ଟିକାକରଣ କରିବ ସେହି ଆଧାରରେ ଟିକା ପ୍ରଦାନ କରାଯିବ। ହେଲେ କେନ୍ଦ୍ର ସରକାରଙ୍କ ଏହିସବୁ ନିର୍ଦେଶନାମା ଏବେ କାର୍ଯ୍ୟରେ ଫଳପ୍ରଦ ନହେବା ଭଳି ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ରାଜ୍ୟରେ ଦୁଇଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ଆଜି ରାଜ୍ୟର ୧୧ଟି ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇଥିବାବେଳେ ଆସନ୍ତାକାଲି ୧୬ଟି ଜିଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଅନୁରୋଧ କରାଗଲାଣି, ହେଲେ ପର୍ଯ୍ୟାପ୍ତ ଟିକା ଆସୁନାହିଁ। ତେଣୁ ଟିକାଦାନରେ ବାଧାପ୍ରାପ୍ତ ହେଉଛି।

- Advertisement -

ସେ କହିଥିଲେ ଯେ ଟିକାକରଣ ଦ୍ୱାରା ହିଁ କରୋନା ମହାମାରୀକୁ ପ୍ରତିହତ କରାଯାଇ ପାରିବ। ହେଲେ ପର୍ଯ୍ୟାପ୍ତ ଟିକା କେନ୍ଦ୍ର ପକ୍ଷରୁ ଆସୁ ନାହିଁ, ତେଣୁ ଆମେ କ’ଣ କରିପାରିବୁ ବୋଲି ସେ ଅସହାୟତା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକ ଡା. ସି. ବି. କେ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଟିକା ପଠାଇବା ଲାଗି କେନ୍ଦ୍ରକୁ ଅନୁରୋଧ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ଟିକାଦାନ ଠିକ୍‍ରେ ହୋଇପାରି ନାହିଁ। ସେ କହିଥିଲେ ଯେ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ରାଜ୍ୟରେ ଘରୋଇ ହସ୍ପିଟାଲ କମ୍‍ ସଂଖ୍ୟକ ଟିକା ସଂଗ୍ରହ କରୁଥିବାରୁ ରାଜ୍ୟର ଭାଗ ଅନୁଯାୟୀ ୭୫:୨୫ ପରିବର୍ତେ ୯୫:୫ ପ୍ରତିଶତ କରିବାକୁ କୁହାଯାଇଛି। ଏନେଇ ବିଭାଗ ପକ୍ଷରୁ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଛି, ହେଲେ ଟିକା ଆସିନାହିଁ। ଆଉ ଦିନକ ପରେ ଟିକା ଆସିବ ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଟିକା ଆସିଲେ ଯାଇ ଟିକାକରଣ କାର୍ଯ୍ୟକ୍ରମ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ରାଜ୍ୟରେ ବୁଧବାର ୨୨୩ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରୁ କେବଳ ୬୫ଟି କେନ୍ଦ୍ର ରାଜଧାନୀରେ ହୋଇଥିଲା। ସମୁଦାୟ କେନ୍ଦ୍ରରେ ୪୯ହଜାର ୬୩୭ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୧୮ରୁ ୪୪ବର୍ଷ ବୟସ୍କ ୩୨ହଜାର ୯୪୫ଜଣ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବା ବେଳେ ୩୩୬୮ଜଣ ଦ୍ୱିତୀୟ ପାନ ନେଇଛନ୍ତି। ଏହାବାଦ୍‍ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୪ହଜାର ୯୧୫ଜଣ ହିତାଧିକାରୀ ପ୍ରଥମ ପାନ ଏବଂ ୭ହଜାର ୭୧୬ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ଏହାବାଦ୍‍ ୧୩ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ, ୧୮ଜଣ ଦ୍ୱିତୀୟପାନ, ୫୭୦କୋଭିଡ ଯୋଦ୍ଧା ପ୍ରଥମ ପାନ ଏବଂ ୯୨ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ବୁଧବାର ଟିକାକରଣକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୧୮ଲକ୍ଷ ୮୫ହଜାର ୪୦୭କୁ ଛୁଇଁଛି।

ଟିକାର ଅଭାବ ପାଇଁ ଆଜି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ଟିକାକରଣ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories