ନୀଳଗିରି: ହରିୟାଣାରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ରୋଷେଇ କରିବ କହି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ଘରେ କଳାକଳା ବୁଲାଇ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ଥାନା ତଥା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଜୁରିଆପାଟଣା ଗାଁର ବିକାଶ ମଲିକ (୩୨) ନାମକ ଯୁବକ କିଛିଦିନ ପୂର୍ବରୁ କାମଧନ୍ଦା ସନ୍ଧାନରେ ହରିୟାଣା ଯାଇଥିଲା। ସେଠାରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହୋଇ ତାଙ୍କ ଘରେ ରୋଷେଇ କରୁଥିଲେ। ଏହବ୍ୟତୀତ ମଧ୍ୟ ଘରର ଅନ୍ୟ କାମକୁ ବି ସେ ସମ୍ଭାଳି ନେଉଥିଲେ। କିଛିମାସ ରହିବା ପରେ ଘରେ କେହି ନଥିବା ସୁଯୋଗରେ ସମ୍ପୃକ୍ତ ଯୁବକ ସୁନା, ରୂପା, ହୀରା ପ୍ରଭୃତିରେ ତିଆରି ଗହଣା ଧରି ଫେରାର ହୋଇଯାଇଥିଲା।
ଚୋରି ହୋଇଥିବା ଗହଣାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଯୁବକ ଜଣକ ସୋମବାର ଶ୍ୟାମସୁନ୍ଦରପୁର ବଜାରରେ ବସି ଜଳଖିଆ ଖାଉଥିବା ସମୟରେ ହରିୟାଣା କ୍ରାଇମବ୍ରାଞ୍ଚ ପୁଲିସ ତାକୁ କାବୁ କରି ନେଇଛି। ଏହି ଯୁବକକୁ ନୀଳଗିରି କୋର୍ଟରେ ହାଜର କରିବା ପରେ କ୍ରାଇମବ୍ରାଞ୍ଚ ପୁଲିସ ତାକୁ ହରିୟାଣାକୁ ନେଇ ଯାଇଥିବା ଜଣାପଡ଼ିଛି।



