www.samajalive.in
Monday, December 8, 2025
14.1 C
Bhubaneswar

ସୁନାପାଲି ଟ୍ରିପଲ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତର ପରିଚୟକୁ ନେଇ ସନ୍ଦେହରେ ପୁଲିସ

ସମ୍ବଲପୁର: ସମ୍ବଲପୁରର ସୁନାପାଲି ହତ୍ୟାକାଣ୍ଡ ଘଟଣା ଜଣାପଡ଼ିବାର ଏକ ସପ୍ତାହ ବିତିଯିବା ସତ୍ୱେ ସମ୍ବଲପୁର ପୁଲିସର ହାତ ଖାଲି ରହିଛି। ଏପରିକି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଲମାନ ଅହମଦ ଙ୍କ ପ୍ରକୃତ ପରିଚୟକୁ ନେଇ ମଧ୍ୟ ସମ୍ବଲପୁର ପୁଲିସ ସନ୍ଦେହରେ ରହିଛି। ସୁନାପାଲି ନିବାସୀ ସାଜିଆ ପରୱିନ (୩୨), ପୁତ୍ର ଅବଦୁଲ ରହମାନ (୭) ଓ ଝିଅ ହୁମୈରା (୫) ଙ୍କୁ ବର୍ବର ରୂପେ ହତ୍ୟା କରାଯାଇ ଘରକୁ ତାଲା ବନ୍ଦ କରି ଦିଆଯିବାର କିଛି ଦିନ ପରେ ଦୁର୍ଗନ୍ଧ ହେବା ଏବଂ ତାଙ୍କର ମାଁ ସେହଜାଦି ବେଗମ ଓ ଭାଇ ମହମ୍ମଦ ଇମତିଆଜ ସମ୍ବଲପୁର ଆସିବାରୁ ଘଟଣା ଜଣାପଡ଼ିଥିଲା। ଏହି ଘଟଣା ଜଣାପଡ଼ିବାର ୭ ଦିନ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ଜଘନ୍ୟ ଅପରାଧିକ କାଣ୍ଡ ସମ୍ପର୍କରେ ସମ୍ବଲପୁର ପୁଲିସ ସମ୍ପୁର୍ଣ୍ଣ ମୌନବ୍ରତ ଧାରଣ କରିବା ସମସ୍ତଙ୍କ ମନରେ ପୁଲିସ ଭୂମିକା ଓ ଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। ଏହି ଘଟଣାରେ ସଦର ଏସଡିପିଓ ଏବଂ ଏସପି ଥରୁଟିଏ ଲେଖାଏଁ ବୟାନ ଦେଇ ଘଟଣାର ତଦନ୍ତ ଚାଲିଛି ବୋଲି କହିବା ପରେ ସମସ୍ତେ ଚୁପ ପଡ଼ି ଯାଇଛନ୍ତି। ପୁଲିସର ଦୁର୍ବଳ ବ୍ୟବସ୍ଥା ଓ ଦାୟିତ୍ୱହୀନତା ପାଇଁ ରାଜ୍ୟ ବାହାରୁ ସମ୍ବଲପୁରକୁ ଆସି ଭିନ୍ନ ପରିଚୟରେ ବ୍ୟକ୍ତି ରହିବା ଏବଂ ଅପରାଧିକ କାଣ୍ଡ ଘଙ୍କାଇ ଫେରାର ହୋଇଥିବା ପରେ ମୃତକ ଙ୍କ ପରିବାର ଦ୍ୱାରା ଘଟଣାର ସୁଚନା ସମ୍ବଲପୁର ପୁଲିସ ପାଇବା ସ୍ପଷ୍ଟ ରୂପେ ଏହାର ଅପରାଗତାକୁ ଦର୍ଶାଉଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ କିଛି ନ କହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ଅପରପକ୍ଷରେ ପୁଲିସ ସୂତ୍ର ଅନୁଯାୟୀ, ଘଟଣାସ୍ଥଳରୁ ଟଙ୍କା ଟିଏ ମଧ୍ୟ ପୁଲିସ କୁ ମିଳି ନାହିଁ। ଅଭିଯୁକ୍ତ / ମାନେ ଘରର ସମସ୍ତ ମୂଲ୍ୟବାନ ସାମଗ୍ରୀ ସମେତ ଟଙ୍କାପଇସା ସବୁ ନେଇ ଫେରାର ମାରିଛନ୍ତି। ଏଥି ସହ ସାଜିଆ ଓ ତାଙ୍କର ଦୁଇ ଛୁଆ ମାନଙ୍କୁ ଅତି ବର୍ବରତାର ସହିତ ହତ୍ୟା କରାଯାଇଛି। ଏବେ ପର୍ଯ୍ୟନ୍ତ ପୁଲିସ ବିଭିନ୍ନ ପ୍ରକାରର ନମୁନା ଗୁଡିକ ଶବ ଗୁଡିକରୁ ସଂଗ୍ରହ କରି ଫୋରସନିକ ଲ୍ୟାବକୁ ପ୍ରେରଣ କରିଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ସେ ଗୁଡିକର ରିପୋର୍ଟ ମଧ୍ୟ ସାର୍ବଜନୀନ କରିବାକୁ ପୁଲିସ ଭୟ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିକୁ ପୁଲିସ ଏ ପର୍ଯ୍ୟନ୍ତ ଠାବ କରି ପାରି ନ ଥିବା ବେଳେ ତାର ପ୍ରକୃତ ପରିଚୟ ମଧ୍ୟ ଏ ପର୍ଯ୍ୟନ୍ତ ସଠିକ ଭାବରେ ମିଳି ନ ନାହିଁ। ଅଭିଯୁକ୍ତ ରାଜ୍ୟର ବିଭିନ୍ନ ସହର ଗୁଡିକରେ ବିଭିନ୍ନ ପରିଚୟ ସହିତ ରହୁଥିବାର ପୁଲିସ ତଦନ୍ତରେ ଜାଣି ପାରିଛି। ପୁଲିସକୁ ମିଳିଥିବା ତଥ୍ୟ ବଳରେ ସ୍ୱତନ୍ତ୍ର ଦଳ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ସ୍ଥାନରେ ଯାଇ ଚଢ଼ଉ କରିଥିବା ବେଳେ ସମସ୍ତ ଠିକଣା ଗୁଡିକ ନକଲି ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ବାହାରୁ ପୁଲିସ ଆଣି ରଖିଥିବା ବେଳେ ସେ ସମ୍ପର୍କରେ ମଧ୍ୟ ପୁଲିସ ସମ୍ପୁର୍ଣ୍ଣ ନୀରବ ରହିଛି। ଉକ୍ତ ସନ୍ଦିଗ୍ଧ ଙ୍କ ଠାରୁ ଘଟଣା ସମ୍ପର୍କରେ ଠୋସ ସୂଚନା ମିଳିଥିବା ବେଳେ ତଦନ୍ତରେ ଅସୁବିଧା ହେବ ଆଳ ଦେଖାଇ ପୁଲିସ ଅଧିକାରୀ ମାନେ ଚୁପ ପଡ଼ି ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କୁ ଧରିବା ଓ ହତ୍ୟାର କାରଣ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ଆଖିଦୃଶିଆ ସଫଳତା ନ ପାଇ ଅନ୍ଧାରରେ ଏକ ସପ୍ତାହ ହେବ ବାଡି ବୁଲାଉଛି ଏବଂ ନିଜର ଅପରାଗତାକୁ ଲୁଚାଇବା ପାଇଁ କୌଣସି ତଥ୍ୟ ସାର୍ବଜନୀନ କରିବାକୁ ପଛ ଘୁଞ୍ଚା ଦେଉଛି। ଏଣୁ ଏହି ଘଟଣାରେ ସମ୍ବଲପୁର ପୁଲିସ ଚୁପ ରହୁଛି ବୋଲି ବିଭାଗୀୟ ମହଲ ସୂତ୍ରରୁ ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories