ମଲଦାରେ ୧୧୧ତମ ଚବିଶପ୍ରହର ନାମଯଜ୍ଞ ଉଦ୍‌‌ଯାପିତ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ରାଧା କୃଷ୍ଣ ରାହାସ କମିଟି ଆନୁକୂଲ୍ୟରେ ଝୁମ୍ପୁରା ବ୍ଲକ ମଲଦା ରାହାସ ମଣ୍ଡପ ଠାରେ ରବିବାର ଆରୁ ଆରମ୍ଭ ହୋଇଥିବା ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ବୁଧବାର ଅପରାହ୍ନରେ ଉଦ୍‌‌ଯାପିତ ହୋଇଯାଇଛି। ରବିବାର ସକାଳୁ ସ୍ଥାନୀୟ ପୂଣ୍ୟତୋୟା ବୈତରଣୀ ନଦୀରୁ ଘଟ ଆବାହନ ପରେ କମିଟିର କାର୍ୟ୍ୟକର୍ତ୍ତା ଓ ଗ୍ରାମବାସୀ ମୃଦଙ୍ଗ ଓ ଘଣ୍ଟ ବଜାଇ ବିରାଟ ଶୋଭାଯାତ୍ରାରେ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ଗ୍ରାମର ମହିଳା ମାନଙ୍କ ପକ୍ଷରୁ ଘର ସମ୍ମୁଖରେ ଝୋଟି ଓ ମୁରୁଜ ପକାଇ ସଂଙ୍କୀର୍ତ୍ତନ ଦଳକୁ ସ୍ୱାଗତ କରିବା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ମଲଦା ପଞ୍ଚାୟତର ଜମିରିଡିହ ସଂଙ୍କୀର୍ତ୍ତନମଣ୍ଡଳୀ ଘଟ ଆବାହନ କାର୍ୟ୍ୟକ୍ରମରେ ସାମିଲ ହେବାସହ ନାମଯଜ୍ଞ ଆରମ୍ଭ କରିଥିଲେ। ପଡୋଶୀ ମୟୁରଭଞ୍ଜ ଜିଲାର ସାନଚାଟରା ଓ କମାରଡିହା ପୁରୁଷ ସଙ୍କୀର୍ତ୍ତନ ଏବଂ ପଶ୍ଚିମବଙ୍ଗର ନିଶ୍ଚିନ୍ତା, ମୟୁରଭଞ୍ଜର ଭାଲୁବସା ଓ ଶଂଶା ମହିଳା ସଂଙ୍କୀର୍ତ୍ତନ ଦଳର ସଂଙ୍କୀର୍ତ୍ତନ ଦେଖିବାକୁ ପ୍ରତ୍ୟହ ଅପରାହ୍ନରୁ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ଝୁମ୍ପୁରା, ସଦର, ବାଂଶପାଳ, ଯୋଡା ଓ ଚମ୍ପୁଆ ବ୍ଲକ ଅଞ୍ଚଳର ବହୁ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ବୁଧବାର ଅପରାହ୍ନରେ ନଗର କୀର୍ତ୍ତନ ସହ ବୈଠକୀ ପାଲା ପରିବେଷଣ ପରେ ସଂଙ୍କୀର୍ତ୍ତନରେ ସାମିଲ ଦଳକୁ ଉଚ୍ଚ୍ୱର୍ସିିତ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସନ୍ତୋଷ ବାରିକ, ବସନ୍ତ ବାରିକ, ଦିବାକର ବାରିକ, ରାଜେନ୍ଦ୍ର ମହାକୁଡ, ସୁଶାନ୍ତ ମହାକୁଡ, ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ବାରିକ, ତପିବର ବାରିକ, ସୁବ୍ରତ ବାରିକ, ଦୀପକ କୁମାର ବାରିକ, ଧବଳେଶ୍ୱର ବାରିକ, ପ୍ରଶାନ୍ତ ବାରିକ, ଧ୍ୟାନଚାନ୍ଦ ବାରିକ, ସନାତନ ବାରିକ, ଅଭିମନ୍ୟୁ ବାରିକ, ପ୍ରଦ୍ୟୁମ୍ନ ଆପଟ୍ଟ, ପାର୍ଥ ବାରିକ, ଚିତ୍ତରଞ୍ଜନ ବାରିକ, ଭୁବନେଶ୍ୱର ବେହେରାଙ୍କ ସମେତ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ନାମଯଜ୍ଞ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.