ସ୍ଥାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଦାବି

ମୋହନା: ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଓଡିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ। ଜ଼ିଲ୍ଲାର ସର୍ବ ବୃହତ୍ତମ ବ୍ଲକ ୩୯ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକରେ କିନ୍ତୁ ଲାଗି ରହିଛି ବିବିଧ ସମସ୍ୟା। ସେଗୁଡିକ ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ପଞ୍ଚାୟତ ଗୁଡିକୁ ସ୍ଥାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଯୋଗାଣ। ସରକାରୀ ନିୟମ ମୁତାବକ ବ୍ଲକର ପ୍ରତ୍ୟେକ ୩ଟି ପଞ୍ଚାୟତ ନିମନ୍ତେ ଜଣେ ଲେଖାଏଁ କନିଷ୍ଠ ଯନ୍ତ୍ରୀଙ୍କ ନିଯୁକ୍ତି ବ୍ୟବସ୍ଥା ରହିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ନିମନ୍ତେ ଜଣେ ଲେଖାଏଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିଯୁକ୍ତି ବ୍ୟବସ୍ଥା ରହିଛି। କିନ୍ତୁ ବିଡମ୍ବନାର ବିଷୟ ମୋହନା ବ୍ଲକରେ କାର୍ୟ୍ୟରତ ଅଛନ୍ତି ୨୫ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ମାତ୍ର ୧୦ ଜଣ କନିଷ୍ଠ ଯନ୍ତ୍ରୀ। ଯାହାକି ବ୍ଲକର ବିଭିନ୍ନ ପଞ୍ଚାୟତ ପରିଚାଳନା ନିମନ୍ତେ କାର୍ୟ୍ୟ କରିବା ଓ ସମୟ ଦେବା କାଠିକର ପାଠ। ନିୟମ ଅନୁଯାୟୀ ପିଇଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଅଭାବ ଯୋଗୁଁ ପଞ୍ଚାୟତ ଗୁଡିକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ଗୁଡିକର ସଠିକ ତଦାରଖ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇ ପାରୁନାହିଁ। ବିଭିନ୍ନ ସମୟରେ ଲୋକଙ୍କୁ ବକେୟା ବିଲ୍ ଅର୍ଥ ମିଳିପାରୁନଥିବା ବେଳେ କିଛି ସ୍ଥାନରେ ସରକାରଙ୍କର ଉନ୍ନତିମୂଳକ କାମ ଠପ୍ ହୋଇପଡୁଛି।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ନିୟମ ମୁତାବକ ମୋହନା ବ୍ଲକ ନିମନ୍ତେ ଆବଶ୍ୟକ ଥିବା ୩ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୧୪ ଜଣ ପିଇଓଙ୍କୁ ମୋହନା ବ୍ଲକରେ ନିଯୁକ୍ତି ଦେବା ଜରୁରୀ ହୋଇପଡିଛି। ଏସବୁ ପଦବୀ ପୂରଣ ହେଲେ ସୁରୁଖୁରୁରେ ବ୍ଲକର ଉନ୍ନତିମୂଳକ କାର୍ୟ୍ୟ ଚାଲିପାରିବ କ୍ଷ ବର୍ତ୍ତମାନ କିଛି କନିଷ୍ଠ ଯନ୍ତ୍ରୀ ଏବଂ ପିଇଓଙ୍କୁ ଏକାଧିକ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ଯାହାଫଳରେ ସେମାନେ ନିଜ ନିଜର ଦାୟିତ୍ୱ ଠିକ୍ ଭାବରେ ତୁଲାଇ ପାରୁନାହାନ୍ତି। କିଛି କନିଷ୍ଠ ଯନ୍ତ୍ରୀ ମୋହନାରେ ନରହି ଅନ୍ୟ ବ୍ଳକରେ ରହୁଛନ୍ତି। କାର୍ୟ୍ୟ ଦିବସରେ ବହୁ ସମୟ ଅନୁପସ୍ଥିତ ରହିବା ସହ କାମରେ ଅବହେଳା କରୁଥିବା ସରପଞ୍ଚ ସଂଘ ଅଭିଯୋଗ କରିଛି। ଏନେଇ ସ୍ୱର ଉତ୍ତୋଳନ କରିଛନ୍ତି ମୋହନା ବ୍ଲକ ସରପଞ୍ଚ ସଙ୍ଘର କର୍ମକର୍ତ୍ତାମାନେ। ଏ ସଂପର୍କରେ ବ୍ଲକର ୩୯ଟି ପଞ୍ଚାୟତର ସରପଞ୍ଚମାନେ ଏକ ଦାବିପତ୍ର ଗଜପତି ଜ଼ିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି।

Comments are closed.