ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି, ୩ ଦିନିଆ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଡ଼େସ୍କ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଜୁଲାଇ ୨୫ରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆସନ୍ତାକାଲି (ବୁଧବାର) ନିଜ ଜନ୍ମ ମାଟି ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦାକୁ ୩ ଦିନିଆ ଗସ୍ତରେ ଆସିବେ। ନିଜ ଗ୍ରାମ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ, ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ହେବାକୁ ଥିବା ସ୍କିଲ୍‌‌ ହବର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି। ହାଟବାଦଡାର ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ ‘ନିଶାମୁକ୍ତ ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ପରେ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ସେଠାରୁ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ପରେ ସହରର ବଡବନ୍ଧରେ ଥିବା ସୁଉଚ୍ଚ ଓ ସୁଦୃଶ୍ୟ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେଠାରୁ ବାହାରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିବେ। ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମ୍‌‌ଠାରେ ମହାମହିମଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ମହୁଲଡିହାସ୍ଥ ଡାକବଙ୍ଗଳାରେ ରାତ୍ରି ଯାପନ କରିବେ।

ପରଦିନ ଅର୍ଥାତ୍‌‌ ମେ’ ୫ ତାରିଖ ଶୁକ୍ରବାର ପୂର୍ବାହ୍ନ ୮.୪୦ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷ ଗ୍ରାମରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ଦାଣ୍ଡିବୋଷସ୍ଥିତ ହେଲିପ୍ୟାଡ୍‌‌ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଯଶିପୁରରେ ପୂର୍ବାହ୍ନ ୯.୫୦ରେ ଅବତରଣ କରିବେ। ସେଠାରୁ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିବା ସହିତ ଅପରାହ୍ନ ଅଢେଇଟା ସୁଦ୍ଧା ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡକ ଯୋଗେ ବାହାରି ଅପରାହ୍ନ ସାଢେ ଚାରିଟା ସୁଦ୍ଧା ଯଶିପୁରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ସନ୍ଧ୍ୟାରେ ବାରିପଦାରେ ଅବତରଣ କରି ଅତିଥିଭବନରେ ରାତ୍ରିଯାପନ କରିବେ।

ଏହା ପରଦିନ ଅର୍ଥାତ୍‌‌ ମେ’ ୬ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସମ୍ବେଦନଶୀଳ ଜନଜାତି ସମ୍ପ୍ରଦାୟଙ୍କ ସହିତ ଭାବ ବିିନିମୟ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ।

Comments are closed.