ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ, ପାଉଣା ଅପେକ୍ଷାରେ ଶ୍ରମିକ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରେ ୨୦୧୮/୧୯ ମସିହାରେ ମନରେଗା ଯୋଜନା ମାଧ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁକୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ ଅଧପନ୍ତରିଆ ହୋଇ ରହିଛି। ବର୍ତ୍ତମାନ କାମ ମଧ୍ୟ ବନ୍ଦ ଅଛି। ହେଲେ କାମ ବନ୍ଦ ଥିବା ସ୍ଵତ୍ତ୍ୱେ ମଧ୍ୟ କାମ କରିନଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ୨ ଲକ୍ଷ ୩୦ ହଜାର ଅର୍ଥ ରାଶି ହଡପ କରାଯାଇଥିବା ଅଭିଯୋଗ ହେଉଛି। ଯେଉଁ ଶ୍ରମିକମାନେ କାମ କରିଛନ୍ତି ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ରାସ୍ତା କାମରେ ଗାଁର ଅନେକ ଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ସେମାନେ ପାରିଶ୍ରମିକ ପାଇନାହାନ୍ତି। ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାୟୀ ଶ୍ରମିକ ପରିଶ୍ରମ ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି। କିନ୍ତୁ ମାସମାସ ଧରି ପାଉନାହାନ୍ତି ଶ୍ରମିକ। ତେବେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା, ଯୋଜନା ନାଁରେ ରଫାଦଫା କରି ଅର୍ଥ ହଡପ ଉଦେଶ୍ୟ ରଖିବା ମୁଖ୍ୟ କାରଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ତେବେ ଶ୍ରମିକଙ୍କୁ କେମିତି ପାରିଶ୍ରମିକ ଅର୍ଥରାଶି ମିଳିବ ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବ୍ରିଟିଶ କୁମାର, ସାନ ମାଝୀ, ଶ୍ରାବୁଣୁ ମାଝୀ, ରାମତୁ ମାଝୀ, ନର୍ସିଂ ମାଝୀ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.