ସମ୍ବଲପୁର: ସମ୍ବଲପୁର ଜିଲାରେ ଆସନ୍ତା ମେ ୧୫ ତାରିଖରୁ ରବି ଧାନ କିଣା ଆରମ୍ଭ ହେବ ବୋଲି ମଙ୍ଗଳବାର ଅନୁଷ୍ଠିତ ଡିଏଲପିସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ରବି ଋତୁ ପାଇଁ ୧୪ ହଜାର ୭୫୯ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୨୦୨୨-୨୩ ପାଇଁ ୧୫ ହଜାର ୪୪୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ୨୦୨୨-୨୩ ରବି ଧାନ କିଣା ପାଇଁ ୩୦ଟି ପ୍ୟାକ୍ସ, ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ୬୨ଟି ପିପିସି ଏବଂ ୪୬ ଜଣ ମିଲର ସାମିଲ ହେବେ। ୨୦୨୧-୨୨ରେ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କ୍ୟୁଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ବେଳେ ଗ୍ରେଡ ଏ ଧାନ ପାଇଁ ୧୯୬୦ ଟଙ୍କା ରହିଥିଲା। ସେହିଭଳି ୨୦୨୨-୨୩ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କ୍ୟୁଣ୍ଟାଲ ପ୍ରତି ୨୦୪୦ ଟଙ୍କା ଥିବା ବେଳେ ଗ୍ରେଡ ଏ ଧାନ ପାଇଁ ୨୦୬୦ ଟଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ। ମଣ୍ଡିରେ ସେଡ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଧାନ ଉଠାଣ ଜରୀ, ଟୋକେନ ଜେନେରେସନ ପରେ ଅବଧିରେ ବୃଦ୍ଧି ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣାରେ ଯେଭଳି କୌଣସି ଅସୁବିଧା ହେବ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଯଦି କିଛି ଅସୁବିଧା ଉପୁଜିଲେ ଜିଲା ପ୍ରଶାସନ ତରଫରୁ ତାର ସମାଧାନ ନିମନ୍ତେ ତୁରନ୍ତ ପ୍ରୟାସ କରାଯିବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆୟୋଜିତ ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, କୁଚିଣ୍ଡା ଉପ ଜିଲାପାଳ ବିଭୁତି ଭୂଷଣ ନାୟକ, ରେଢ଼ାଖୋଲ ଓ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି, ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଅତିରିକ୍ତ ଉନ୍ନୟନ ଜିଲା ପରିଷଦ ଅଧିକାରୀ ରମେଶ ହାଁସଦା, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଙ୍କ ସମେତ ଚାଷୀ, ମିଲର୍ସ ପ୍ରତିନିଧି ଓ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



