OMC 1 banner

ପ୍ରଥମ ମୀନକେତନ ଦେବରୀ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁର ଠାରେ ଗୁରୁବାର ଅପରାହ୍ନରେ ବୀର ବଜରଙ୍ଗ ସଂଘ, ହାଟପଡ଼ା ପକ୍ଷରୁ ପ୍ରଥମ ମୀନକେତନ ଦେହେରୀ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଚୈତ୍ର ପୁର୍ଣ୍ଣିମା ତିଥିରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ୭୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ପ୍ରତିଯୋଗିତା ଅପରାହ୍ନ ୩ଟା ୩୦ରେ ସମ୍ବଲପୁର ସ୍ଥିତ ବଡବଜାର ସ୍ଥିତ ସଡକ ଘାଟରୁ ଆରମ୍ଭ ହୋଇ ସ୍ଥାନୀୟ ହାଟପଡ଼ା ସ୍ଥିତ ଅଯୋଧ୍ୟା ସରୋବର ଠାରେ ସମ୍ପନ୍ନ ହୋଇଥିଲା। ଏଥିରେ ହାଟପଡ଼ା ଦଳର ବିଶ୍ୱନାଥ ଦଣ୍ଡସନା ଓ ବିକାଶ ସାହୁ ମାତ୍ର ୧୬ ମିନିଟ ୮ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୋଟାପାଲି ଦଳର ରଞ୍ଜନ ବଢ଼଼ାଇ ଓ ଭୀମ ବେରିହା ୧୬ ମିନିଟ ୩୫ ସେକେଣ୍ଡ ରେ ଦ୍ୱିତୀୟ ଏବଂ ତୁରୁମ ଦଳର ମହେନ୍ଦ୍ର ବାଗ ଓ ରିଙ୍କୁ ଝାଙ୍କର ୧୬ ମିନିଟ ୪୯ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଜିଲା ଭାଜପା ସଭାପତି ଗିରିଶ ପଟେଲ ମୁଖ୍ୟ ଅତିଥି, ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ (ପଶ୍ଚିମ) ସୁଧିର ରଞ୍ଜନ ବହିଦାର, ଉମାପତି ତ୍ରିପାଠୀ, ଦିଲିପ ସାହୁ, ଦୀପକ ବରାଡ, ବିଶ୍ୱଜିତ ଦେହୁରୀ, କୈବର୍ତ୍ତ ସମାଜର ସୁରେନ୍ଦ୍ର ନାୟକ, ବାବଲୁ ବାଗ ଓ କିରଣ ସେଟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ପ୍ରଥମ ଦଳକୁ ଟ୍ରଫି, ପ୍ରମାଣପତ୍ର ଓ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଦଳକୁ ଯଥାକ୍ରମେ ଟ୍ରଫି, ପ୍ରମାଣପତ୍ର, ୭ ହଜାର ଓ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସୋନପୁର, ବିନକା, ବୌଦ୍ଧ, କେଉଁଟପାଲି, ଚଢ଼ଇପଙ୍କ, ତୁରୁମ, ସିଣ୍ଡୋଲ, ଧମା, ଦେଗାଁ, ହରଭଙ୍ଗା, ଚାଉଁରପୁର, ବୀରମହାରାଜପୁର, ପୋତାପାଲି, ମୁଣ୍ଡୋଘାଟ, ହାଟପଡ଼ା, ଦଲେଇପଡ଼ା, କୁଞ୍ଜେଲପଡ଼ା, ବଡବଜାର, ଫିସରୀ ବିଭାଗ ର ଦଳ ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମହାନଦୀକୁ ସ୍ୱଚ୍ଛ ରଖିବାର ସଚେତନତା ବାର୍ତ୍ତା ଏବଂ ନୌକାର ଲୋକପ୍ରିୟତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୀର ବଜରଙ୍ଗ ସଂଘ ହାଟପଡ଼ାର ସମସ୍ତ ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିବା ବେଳେ ହଜାର ହଜାର ଦର୍ଶକ ମହାନଦୀ ପଠାରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.