ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣା, ଜେଲରୁ ମୁକୁଳିଲେ ସମିତି ସମ୍ପାଦକ

ସମ୍ବଲପୁର: ଗତ ଏପ୍ରିଲ ୧୨ ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାର ଶତାଧିକ ବ୍ୟକ୍ତି ଗିରଫ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କୁ ଅଦାଲତ ପକ୍ଷରୁ ଜାମିନ ଦିଆଯାଉଛି। ଏହି କ୍ରମରେ ଗତ ସେପ୍ଟମ୍ବର ୮ ତାରିଖରେ ୧୧ ଜଣ ଜାମିନରେ ବାହାରିଥିବା ବେଳେ ଆଜି ବୁଧବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସମ୍ପାଦକ ସମୀର ରଞ୍ଜନ ବାବୁ ଓ ଶିଶିର ବହିଦାର ଜାମନରେ ବାହାରିଛନ୍ତି। ଦୀର୍ଘ ୬ ମାସ ହେବ ସେମାନଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିବା ବେଳେ ମାନ୍ୟବର ଅଦାଲତଙ୍କ ଆଦେଶ କ୍ରମେ ଜେଲରୁ ମୁକୁଳିଛନ୍ତି। ଏହି ଅବସରରେ ହନୁମାନ ଜୟନ୍ତୀ ସମନ୍ୱୟ କମିଟିର ବରିଷ୍ଠ ସଦସ୍ୟ ସୁଧିର ରଞ୍ଜନ ବହିଦାର, ଦାମୋଦର କର, ଶିବ କୁମାର ଅଗ୍ରୱାଲ, ବିଜେପି ଜିଲା ସଭାପତି ଗିରିଶ ପଟେଲଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଏଥି ସହ ଆଜି ରେଢ଼ାଖୋଲ ଉପ କାରାଗାରରେ ବନ୍ଦ ଥିବା ଜୟବ୍ରତ ଦେ ଓ କୁଚିଣ୍ଡା ଉପ କାରାଗାରରେ ବନ୍ଦ ଥିବା ସରୋଜ ଘଡେଇଙ୍କୁ ମଧ୍ୟ ଜାମିନ ମିଳିଥିବାର ସୂଚନା ପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଉପଲକ୍ଷେ ମୋଟର ସାଇକେଲ ଶୋଭାଯାତ୍ରା ଉପରେ ପଥରମାଡ ଓ ୧୪ ତାରିଖରେ ପୋଡଜଳା ଓ ହିଂସାକାଣ୍ଡ ଘଟଣା ସହିତ ସାମ୍ପ୍ରଦାୟିକ ଦଙ୍ଗା ହେବା ପରେ ସମ୍ବଲପୁର ଇତିହାସର ସର୍ବାଧିକ ସମୟ ୧୫ ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇ ଇନ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଶତାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି କ୍ରମରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସମ୍ପାଦକ ସମୀର ରଞ୍ଜନ ବାବୁଙ୍କୁ ଗତ ଏପ୍ରିଲ ୨୦ ତାରିଖରେ ଗିରଫ କରାଯିବା ପରେ ତାଙ୍କର ଜାମିନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।
Comments are closed.