୨୭ ବର୍ଷ ପରେ ଆସିଲା ରାୟ, ୮୯ ବର୍ଷୀୟ ବୃଦ୍ଧଙ୍କ ଛାଡ଼ପତ୍ର ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଜଣେ ୮୯ବର୍ଷୀୟ ବୃଦ୍ଧଙ୍କ ଛାଡପତ୍ର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ନିର୍ମଳ ସିଂହ ପାନେସାର (୮୯) ବର୍ଷୀୟ ବୃଦ୍ଧଙ୍କ ଏହି ଛାଡପତ୍ର ଆବେଦନ ଉପରେ ନିଷ୍ପତ୍ତି ଦେବାକୁ ସୁପ୍ରିମକୋର୍ଟଙ୍କୁ ୨୭ବର୍ଷ ଲାଗି ଯାଇଛି। ବାୟୁସେନାର ଅବସରପ୍ରାପ୍ତ କର୍ମଚାରୀ ନିର୍ମଳ ସିଂହ ୧୯୬୩ରେ ପରମଜିତ୍ କୌରଙ୍କୁ ବିବାହ କରିଥିଲେ। ପରମଜିତଙ୍କୁ ଏବେ ୮୨ବର୍ଷ। ୧୯୮୪ରେ ଉଭୟଙ୍କ ବିବାହରେ ତିକ୍ତତା ଆସିଥିଲା। ନିର୍ମଳ ସିଂହଙ୍କୁ ୧୯୮୪ରେ ଚେନ୍ନଇ ବଦଳି କରାଯାଇଥିଲା। ସେହି ସମୟରେ ନିର୍ମଳଙ୍କ ସହିତ ନୂଆ ଚାକିରିସ୍ଥଳକୁ ଯିବା ଲାଗି ପତ୍ନୀ ପରମଜିତ ମନା କରିଦେଇଥିଲେ। ୧୯୯୬ରେ ନିର୍ମଳ ସିଂହ ଛାଡପତ୍ର ଆବେଦନ କରିଥିଲେ। ନିଷ୍ଠୁରତା ଓ ପଳାୟନପନ୍ଥୀ ମନୋଭାବ ଭଳି କାରଣ ଦର୍ଶାଇ ନିର୍ମଳ ଛାଡପତ୍ର ଆବେଦନ କରିଥିଲେ। ୨୦୦୦ ମସିହାରେ ଜିଲା ଅଦାଲତ ନିର୍ମଳଙ୍କ ଛାଡପତ୍ରକୁ ଅନୁମୋଦନ କରିଥିଲେ। ମାତ୍ର ପରମଜିତ୍ ଏହାକୁ ବିରୋଧ କରିବାରୁ ଅଦାଲତ ଛାଡପତ୍ର ଅନୁମୋଦନକୁ ପ୍ରତ୍ୟାହାର କରିନେଇଥିଲେ। ପରେ ଏହି ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପ୍ରାୟ ଦୁଇ ଦଶନ୍ଦି ପରେ ସୁପ୍ରିମକୋର୍ଟ ନିର୍ମଳଙ୍କ ଛାଡପତ୍ର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ବିବାହ ପବିତ୍ର, ଧାର୍ମିକ ଓ ଅମୂଲ୍ୟ। ତେଣୁ ଏହାକୁ ଭାଙ୍ଗିବା ଲାଗି ଅନୁମତି ଦିଆଯାଇପାରିବ ନାହିଁ।
Comments are closed.