ସମ୍ବଲପୁର: ଓଡ଼ିଆ ଓ ସମ୍ବଲପୁରୀ ସଙ୍ଗୀତ ଓ ସଂସ୍କୃତିକୁ ବିକୃତ ପ୍ରଚାର କରୁଥିବା ଅପେରା ପ୍ରଦର୍ଶନକୁ ଅନୁମତି ଦିଆ ନ ଯିବା ପାଇଁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ରାତି ୧୦ଟା ପରେ ଅପେରା ପ୍ରଦର୍ଶନକୁ ନିଷିଦ୍ଧ କରିବାକୁ ହାଇକୋର୍ଟର ଏକ ନିର୍ଦ୍ଦେଶ ଥିବା ସତ୍ତ୍ବେ ଏହି ଅପେରା ଗୁଡ଼ିକ କିପରି ରାତି ୧୧ଟାରୁ ଆରମ୍ଭ କରି ରାତି ସାରା ପ୍ରଦର୍ଶିତ ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପାଇଁ ଚାଷୀମାନେ ବ୍ୟସ୍ତ ଥିବା ବେଳେ ଅପେରା ଗୁଡ଼ିକ ସହିତ ଘୁଡୁ ଘୁଡ଼ି ପଟ୍ଟି, ଜୁଆଖେଳ, ମଦ ବେପାର ମାଧ୍ୟମରେ ସେମାନଙ୍କୁ ଲୁଣ୍ଠନ କରାଯାଉଛି। ଆଗାମୀ ୧୪ରୁ ୧୯ ପର୍ଯ୍ୟନ୍ତ ଗୋଡଭଗା କଲେଜ ପରିସରରେ କଲାମାଟି ପଞ୍ଚାୟତରେ ଏକ ଅପେରା ହେବାକୁ ଯାଉଛି। ଏସବୁକୁ ଅନୁମତି ନ ଦେବାକୁ ସମ୍ବଲପୁର ସିଭିଲ ସୋଷାଇଟୀ, ପଶ୍ଚିମାଞ୍ଚଳ ପିପୂଲ୍ସ ଫୋରମ୍, ସମ୍ବଲପୁର ସାଂସ୍କୃତିକ ପରିଷଦ, ଫାଲଗୁନି ସାମାଜିକ ସାଂସ୍କୃତିକ ଅନୁଷ୍ଠାନ, କୋଶଳ ସେନା, ବାଜମ ଏ ରାଜା କମିଟି ପ୍ରଭୃତି ସଂସ୍ଥା ପକ୍ଷରୁ, ଭକ୍ତ ପ୍ରସାଦ ନନ୍ଦ, ସପନ ମିଶ୍ର, ବିରେନ୍ଦ୍ର ପାଣିଗ୍ରାହୀ,ସଦାନନ୍ଦ ପଣ୍ଡା, ଅଶୋକ କୁମାର ଛତର, ମହମ୍ମଦ ଯୁଲିଫିକର ଅହମ୍ମଦ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
Popular Categories



