ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ରେଳ ଷ୍ଟେସନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକ ଭାବେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ଭେଡେନ ଥାନା ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ପରିବାର ଲୋକେ ତାଙ୍କ ଘରକୁ ଫେରିବାରେ ବିଳମ୍ବ ହେବା ଦେଖି ଖୋଜା ଖୋଜି କରିଥିଲେ ହେଲେ ତାଙ୍କୁ ପାଇ ନଥିଲେ। ଅପର ପକ୍ଷରେ ତାଙ୍କ ବାଇକ୍ ବିଲ ଭିତରେ ପଡ଼ିଥିବା ଓ ଚପଲ ସାଙ୍ଗରେ ଗୋଟିଏ ଛୁରୀ ରାସ୍ତା ପାର୍ଶ୍ବରେ ପଡିଥିବା ଦେଖି ସେମାନେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଶନିବାର ତାଙ୍କୁ ପୋଲିସ ଝାରସୁଗଡ଼ାରୁ ଠାବ କରିଛି। ଅତାବିରା ପୋଲିସ ଝାରସୁଗୁଡ଼ାରୁ ତାଙ୍କୁ ଆଣି ପଚରାଉଚରା ପରେ ନିଖୋଜ ଘଟଣାର ପ୍ରକୃତ କାରଣ ଜଣାପଡିଛି।
କ୍ରିଷ୍ଣାଙ୍କ କହିବା ଅନୁସାରେ ଗୁରୁବାର ରାତିରେ ଆନ୍ଧ୍ରପ୍ରଦେଶରୁ ଟ୍ରେନରେ ଆସୁଥିବା ତାଙ୍କ ସମ୍ପର୍କୀୟମାନଙ୍କୁ ଆଣିବା ପାଇଁ ବାଇକ ଯୋଗେ ଅତାବିରା ରେଳ ଷ୍ଟେସନକୁ ଯାଇଥିଲେ। ସମ୍ପର୍କୀୟଙ୍କୁ ଏକ କାର୍ ଯୋଗେ ସେ ଘରକୁ ପଠାଇଥିଲେ ଓ ବାଇକ ଯୋଗେ ସେ ପଛରେ ଆସୁଥିଲେ। ଆସିବା ରାସ୍ତାରେ ରାସ୍ତାର ଦୁଇ ପାର୍ଶ୍ଵରେ ଛପି ରହିଥିବା ୭ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ମାର ପିଟ କରିଥିଲେ ଓ ପରେ ଏକ ନିଶା ଇଞ୍ଜେକସନ ଲଗାଇ ଗୋଡ଼କୁ ମଚକାଇ ଦେଇଥିଲେ। ଏହା ପରେ ତାଙ୍କର ଆଉ ଚେତା ରହି ନଥିଲା। ଚେତା ଆସିବା ପରେ ସେ ନିଜକୁ ଏକ ଜଙ୍ଗଲ ଭିତରେ ସେଇ ଦୁର୍ବୃତ୍ତ ମାନଙ୍କ ଗହଣରେ ପାଇଥିଲେ।କିନ୍ତୁ ସେମାନେ ନିଶାସକ୍ତ ଅବସ୍ଥାରେ ନିଘୋଡ଼ ନିଦରେ ଶୋଇ ରହିଥିଲେ। ସେ ପ୍ରକୃତିସ୍ଥ ହେବା ପରେ ତାଙ୍କୁ ଅପହରଣ କରାଯାଇଥିବା ଜାଣିପାରିଥିଲେ। ତେଣୁ ସେମାନେ ଶୋଇଥିବା ଦେଖି ସେ ସୁଯୋଗ ପାଇ ଆଗକୁ ଦଉଡ଼ି ପଳାଇଥିଲେ। ରାତିରେ ସେ ରାସ୍ତା ପାଉ ନଥିଲେ। କେଉଁ ଜାଗା କିଛି ତାଙ୍କୁ ସଠିକ୍ ଜଣା ନ ଥିଲା। ତଥାପି ସେ ଦୌଡ଼ି ଚାଲିଥିଲେ ଆଗକୁ। ଶେଷରେ ଟ୍ରେନ ରାସ୍ତା ଦେଖି ସେଇ ଅଭିମୁଖେ ଦଉଡ଼ି ଶେଷରେ ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ରେଲୱେ ପୋଲିସ ତାଙ୍କଠାରୁ ସବୁ ଶୁଣି, ତାଙ୍କ ପ୍ରକୃତ ପରିଚୟ ପାଇବା ପରେ ଅତାବିରା ପୋଲିସକୁ ଖବର ଦେଇଥିଲେ। ଅତାବିରା ପୋଲିସ ଆଜି ତାଙ୍କୁ ଆଣି ସମସ୍ତ ଘଟଣା ପଚରା ଉଚୁରା କରିବା ପରେ ଘଟଣାର ପ୍ରକୃତ ରହସ୍ୟ ସାମନାକୁ ଆସିଛି। ତେବେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଥିବାରୁ ତାଙ୍କୁ ଅତାବିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ତାଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ତାଙ୍କୁ ପାଇ ପରିବାର ତଥା ସମ୍ପର୍କୀୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଅତାବିରା ପୋଲିସ କ୍ରିଷ୍ଣାଙ୍କୁ ଖୋଜିବା ପାଇଁ ଚାରିଆଡେ ଜାଲ ବିଛାଇ ଥିଲେ। ଆଜି ତାଙ୍କୁ ପାଇବା ପରେ ଅପହରଣକାରୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।



