www.samajalive.in
Wednesday, December 10, 2025
17.1 C
Bhubaneswar

ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଢେଙ୍କାନାଳ ସଦର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ଉପଲକ୍ଷେ ଏବଂ ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସଦର ବ୍ଲକ ବଣସିଂହ ଠାରେ ସମାଜ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରା ରୋପଣ କରିଥିଲେ।ଏହି ଅବସରରେ ଶ୍ରୀ ସ୍ବାଇଁ ଜୀବଜଗତ ସୃଷ୍ଟି ପୂର୍ବରୁ ଉଦ୍ଭିଦ ଜଗତ ସୃଷ୍ଟି ହୋଇଥିଲା ଏବଂ ମାନବ ସମାଜ ତିଷ୍ଠି ରହିବା ପାଇଁ ୩୩ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ରହିଛି ବୋଲି କହିଥିଲେ।

ସମାଜ ପ୍ରତିନିଧି ଶିଶିର କୁମାର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ଇଡିଅଟର ସଦସ୍ୟ ସଚିବ ସରୋଜ କୁମାର ଶତପଥୀ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ହୋତା, ଶିଶିର ପାଣି, ଅବସରପ୍ରାପ୍ତ ଶିକ୍ଷକ ଗଦାଧର ପରିଡ଼ା, କୈଳlସ ଚନ୍ଦ୍ର ପାଣଗ୍ରାହୀ, ପ୍ରଶାନ୍ତ ପୃଷ୍ଟି, ରାହୁଲ ପୃଷ୍ଟି, ବିନୟ ଷଣ୍ଢ, ବିଶ୍ୱଜିତ୍ ପୃଷ୍ଟି, ହରିହର ସ୍ବାଇଁ, ଦୀପକ ପାଣିଗ୍ରାହୀ, ଅଂଶୁମାନ ଓଝା, ବିଶ୍ୱଜିତ୍ ପରିଡ଼ା, ଦିବ୍ୟରଜନ ପାଣି, ମହାବୀର ବାରିକ୍ ପ୍ରମୁଖ ସହଯୋଗ କରିଥିଲେ।

- Advertisement -

ବଡଚଣା: ୭୭ ତମ ସ୍ବାଧୀନତା ଦିବସ ଅବସରରେ ବିଦ୍ୟାଳୟ ଗୁଡିକରେ ଶିଶୁ ଓ ଛାତ୍ରଛାତ୍ରୀ ମାନେ ଦେଶପାଇଁ ବଳିଦାନ ଦେଇଥିବା ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବେଶରେ ସଜ୍ଜିତ ହୋଇଥିଲେ। ଏହି ଅବସରରେ ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ସ୍ଥିତ ସରସ୍ଵତୀ ଶିଶୁମନ୍ଦିରରେ ବିଭିନ୍ନ ବେଶ ହୋଇଥିଲା ବେଳେରେ ଭାରତ ମାତାଙ୍କ ବେଶ ଧାରିଣ ସହ ଗୋପବନ୍ଧୁଙ୍କ ବେଶରେ ଜଣେ ଶିଶୁ ପ୍ରଭୂପ୍ରସାଦ ନାୟକଙ୍କୁ ଦେଖିବାକୁ ମିଳିଛି।

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଅଗ୍ରସେନ୍ ଭବନ ଠାରେ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଉଦଘାଟିତ ହୋଇଯାଇଛି। ଉଦଘାଟିତ କାର୍ଯ୍ୟକ୍ରମରେ ଅତାବିରା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ସତ୍ୟନାରାୟଣ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ସର୍ବ ପ୍ରଥମେ ମୁଖ୍ୟ ଅତିଥି ଦ୍ଵାରା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଫଟୋ ଚିତ୍ରରେ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ସଂଘ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ପ୍ରଥମେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ତାଣ୍ଡି ଚକ୍ଷୁ ପରୀକ୍ଷା କରାଇ ଥିଲେ। ଶିବିରକୁ ଆସିଥିବା ଚକ୍ଷୁ ରୋଗୀ ମାନଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଡାକ୍ତରୀ ଟିମଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା ହେବା ସହ ଔଷଧ ଓ ଚଷମା ଦେଇ ଚିହ୍ନଟ ରୋଗୀଙ୍କୁ ଅପରେସନ ପାଇଁ ପଠାଇ ଦିଆଯାଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ହେବାକୁ ଥିବାବେଳେ ଚକ୍ଷୁ ପରୀକ୍ଷା ସହ ମାଗଣା ସ୍ବାସ୍ଥ୍ୟ ଶିବିର ହେବ ବୋଲି ସଂଘ ପକ୍ଷରୁ ଜଣାପଡିଛି। ଏହି ଶିବିରରେ ତ୍ରିଲୋଚନ ନେତ୍ରାଳୟର ଡ ଭିକ୍ରାନ୍ତଙ୍କ ସହ ଓସିଏ ମୋନାଲିସା ସାହୁ, ଅପ୍ଟିକଲ ଅତିସ ଚିନାରା, ବଳଭଦ୍ର ତିର୍କୀ, ସୃତି ବାଗ, ଲିପିରାଣୀ ଭୋଇ, ଟି କେଶ୍ୱରି ମହାନନ୍ଦ, ନିକିତା ଓରାମ ଓ ସଙ୍ଗୀତା ପ୍ରମୁଖ ଟେକ୍ନିସିଆନ ଭାବେ ଯୋଗ ଦେଇ ଅତାବିରା ବ୍ଲକର ଶତାଧିକ ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ। ଶିବିରକୁ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା, ଅତାବିରାର ବିଭିନ୍ନ ସାଙ୍ଗଠନିକ ଦଳ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ସଫଳ ଶୀର୍ଷରେ ପହଞ୍ଚାଇଥିଲେ।

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ଅବସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ଦିବସର ଆଭିମୁଖ୍ୟ ଓ ଦେଶ ମାତୃକା ପ୍ରତି ଆମ ମାନଙ୍କ ଦାୟିତ୍ୱ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, କାଉନସିଲର ସୁଜାତା ମହାନ୍ତି, ସବିତା ବେହେରା, ସଂଯୁକ୍ତା ଦାସ, ମହାଲକ୍ଷ୍ମୀ ନାୟକ ସମେତ ଜଳସେଚନ ସହକାରୀ ନିର୍ବାହୀଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ର, ଆରଆଇ ରବୀନ୍ଦ୍ର ପ୍ରଧାନ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଗଞ୍ଜାମ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା ଏବଂ ସମସ୍ତ କାଉନ୍ସିଲର ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସେଠାରେ ଛତ୍ରପୁର ସାଇ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଦେଶପ୍ରେମ ଓ ଦେଶାତ୍ମକ ବୋଧ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କଲ୍ୟାଣସିଂହପୁର: ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ବିଦ୍ୟାଳୟ ପଡ଼ିଆରେ ସ୍ଵାଧୀନତା ଦିବସ ଅବସରରେ ଗାୟତ୍ରୀ ପରିବାର ଓ ସ୍ଥାନୀୟ ଯୁବ ଗୋଷ୍ଠୀ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଏଥିରେ ନିମ୍ବ, ଚନ୍ଦନ, ଜାମୁକୋଳି, କରଞ୍ଜ, ପାଟୁଳି, ପିସ୍ତାବାଦାମ, ମହାନିମ୍ବ, ଚାକୁଣ୍ଡା ଭଳି ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି। ଏହା ପରେ ନୂତନ ଭାବେ ହୋଇଥିବା ହନୁମାନ ମନ୍ଦିର ନିକଟରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଗାୟତ୍ରୀ ପରିବାର ସଞ୍ଜୟ ଝାଲିଆ, ଗୋବିନ୍ଦ ବିଶୋଇ,ଜି. ଶ୍ରିନୁ ବାସ ରାଓ, ସଞ୍ଜୟ ନିସିକା, ରମା କାନ୍ଥ ସାହୁକାର ବୃକ୍ଷରୋପଣ କାର୍ଯ୍ୟକର୍ମ କରିଥଲେ। ସେହିପରି ପୂଜାରିଗୁଡା କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ମଧ୍ୟ ଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ସମିତି କାର୍ଯ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ବ୍ଲକରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିଡ଼ିଓ ସୁନୀଲ ଖରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ସମେତ ସମସ୍ତ ବ୍ଲକ ଅଧିକାରୀ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା, ତହସିଲ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲ ଦାର ସୁଧାକର ରଇତ ପତାକା ଉତ୍ତୋଳନ କରିଥିଲେ। ବିନିଶପୁର ଶହୀଦ ପୀଠରେ ବିଡ଼ିଓ ସୁନୀଲ ଖରା ପତାକା ଉତ୍ତୋଳନ କରିଥିଲେ। ଏଠାରେ ବିନିଶପୁର ଗ୍ରାମବାସୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ଅବସରରେ ଡ୍ରାଇଭର ସଂଘର ଡ୍ରାଇଭରମାନେ ଏକ ବାଇକ ରାଲି କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସେଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ ତରଫରୁ ପୁରସ୍କୃତ କରାଯାଇଥିଲା।

ଆଠଗଡ଼: ଭାରତ ସ୍ୱାଧୀନ ହେବାର ୭୬ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି। ଦେଶର ୧୪୦କୋଟି ଲୋକଙ୍କର ଆଶା ଆକାଂକ୍ଷା ପୂରଣ ହୋଇଛି। ସମସ୍ତଙ୍କର ସହଯୋଗ ରହିଲେ ଆଗାମୀ ଦିନରେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଆଠଗଡ଼ ଉପଖଣ୍ଡସ୍ତରୀୟ ସ୍ୱତନ୍ତ୍ରତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ମତପ୍ରକାଶ କରିଛନ୍ତି। ମହିଳା କଲେଜ ସନ୍ନିକଟ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ମୁଖ୍ୟଅତିଥି ଶ୍ରୀ ତରାଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉଦ୍‌‌ବୋଧନ ଦେଇଥିଲେ। ଏହି ପ୍ୟାରେଡ ଉତ୍ସବରେ ଆଠଗଡ଼ ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୨ଟି ଦଳ ଯୋଗଦାନ କରିଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ସୂଚନା ଓ ଲୋକ ସଂପର୍କର ବିଭାଗ ପକ୍ଷରୁ ଭୋର ସାଢେ ୪ଟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ରାମଧୂନ ପ୍ରସାର କରାଯାଇଥିଲା। ସକାଳ ୭ଘଟିକାରେ ଏନଏସସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି ଅନ୍ୟ ସମସ୍ତ ପାରିଷଦଙ୍କ ସହିତ ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପ୍ୟାରେଡ ଉତ୍ସବ ପରେ ପରେ ଉପଜିଲ୍ଲାପାଳ ଶ୍ରୀ ତରାଇ ଶ୍ରେଷ୍ଠ କୃଷକ ଭାବେ ପ୍ରତାପ ସାହୁ, ସ୍ୱତନ୍ତ୍ର ଅଲମ୍ପିକରେ ରୌପ୍ୟ ପଦକ ପାଇଥିବା କଳ୍ପନା ଜେନା, ଶ୍ରେଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି, ସାରେଗାମାପା ସ୍ୱର ମହାମଞ୍ଚ ବିଜୟିନୀ ସୌଜନ୍ୟା ରଥ, ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ରାଧେଶ୍ୱରୀ ବେହେରା, +୨ କଳା ଟପ୍ପର ସୁଦିପ୍ତା ବେହେରା, +୨ ବିଜ୍ଞାନ ଟପ୍ପର ରିତେଶ କୁମାର ଗଣ୍ଠିଆ, ରାଜସ୍ୱ ଆଦାୟରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜସ୍ୱ ପର୍ଯ୍ୟବେକ୍ଷକ ପ୍ରଭାତ କୁମାର ଖୁଣ୍ଟିଆ, ରାଜସ୍ୱ ନିରୀକ୍ଷକ ସିଲୁ ସାହୁ ଓ ସତ୍ୟବ୍ରତ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏବଂ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ୟାରେଡ ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ପରେ ଉପଜିଲ୍ଲାପାଳ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ଯାଇ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସହଯୋଗରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ ଓ ପ୍ରାକ୍ତନ ସୂଚନା ଓ ଲୋକସଂପର୍କ ଅଧିକାରୀ ବ୍ରହ୍ମାନନ୍ଦ ରାଉତ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଆଠଗଡ଼: ଆଠଗଡ଼ ବିଜେପି ପକ୍ଷରୁ ପବିତ୍ର ୭୭ତମ ସ୍ୱାଧୀନତା ଦିବସ ପାଳନ ସହିତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆଠଗଡ଼ ଓ ତିଗିରିଆ ବ୍ଲକ ପରିକ୍ରମା କରିଥିଲା। ଗାନ୍ଧୀମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଭାରତ ମାତା ପୂଜନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ଜାତି, ଧର୍ମ, ମତ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଆମେ ସମସ୍ତେ ପ୍ରଥମେ ଭାରତୀୟ ଏବଂ ଭାରତ ମାତାର ସୁରକ୍ଷା ଓ ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ। ପରେ ପରେ ଆଠଗଡ଼ ବିଜେପି କାର୍ଯ୍ୟାଳୟଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତା ହାତରେ ତ୍ରିରଙ୍ଗ ଧରି ସହର ପରିକ୍ରମା କରିବା ପରେ ବୀରକିଶୋରପୁର, ରାଧାଦର୍ଶନପୁର, ଖୁଣ୍ଟକଟା, ମାରୁଗୋଠ, ପାଞ୍ଚଗାଁ ଓ ତିଗିରିଆର ଗୋହିରିମୁଣ୍ଡ ଛକଠାରୁ ମହାବୀର ବଜାର ଦେଇ ଯିବା ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ପୁନରାୟ ଶୋଭାଯାତ୍ରା ବାହାରି ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା ବଜାର, ଗୋଖର୍ଣ୍ଣଖାଲ ଛକ ଅତିକ୍ରମ କରି ମା କଳାପାଟ ମନ୍ଦିର ନିକଟରେ ତ୍ରିରଙ୍ଗା ଶୋଭାଯାତ୍ରା ସମାପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାଶ, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ବିଭିନ୍ନ ମଣ୍ଡଳର ସଭାପତି ଯଥା ତପନ ଲେଙ୍କା, ଉମେଶ ସାମଲ, ନିର୍ମଳ କୁମାର, ଚିନ୍ମୟ ମଲ୍ଲିକ, ସନ୍ତୋଷ ରାଉତ ଓ ହେମନ୍ତ ମହାନ୍ତି, ନିର୍ବାଚନ ମଣ୍ଡଳି ବିସ୍ତାରକ ଅରକ୍ଷିତ ଖୁଣ୍ଟିଆ, ବିବେକାନନ୍ଦ ବେଉରା, ରଞ୍ଜନ ସେନାପତି, ପ୍ରମୋଦ କୁମାର ରାୟ, ସୁବାସ ମହାନ୍ତି, ରମାକାନ୍ତ ସେନାପତି, ମିଥୁନ ମଲ୍ଲିକ, ସୋମନାଥ ବେହେରା, ମିଡିଆ ସଂଯୋଜକ ପରେଶ ରଞ୍ଜନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ନେତା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

କେନ୍ଦୁଝରଗଡ଼: ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାର ଅନୁଷ୍ଠିତ ୭୭ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମୃଦ୍ଧ ଭାରତ ଓ ଓଡ଼ିଶା ଗଠନ ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହ୍ୱାନ ଜଣାଇଛନ୍ତି। କେନ୍ଦୁଝର ମାଟିକୁ ବୀର ମାଟି ଭାବେ ଅଭିହିତ କରି ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ବିପ୍ଳବୀ ଧରଣୀଧରଙ୍କ ବିଦ୍ରୋହ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ। ଏତଦ୍‌‌ବ୍ୟତୀତ ସ୍ୱାଧୀନତା ସଂଗ୍ରାମରେ କେନ୍ଦୁଝର ଜିଲାର ବୀର ସନ୍ତାନମାନଙ୍କର ଅମାପ ବୀରତ୍ୱ, ସାହସ ଓ ଦମ୍ଭ ଚିରକାଳ କ୍ରାନ୍ତିର ପ୍ରାଣ ଓ ପ୍ରେରଣା ହୋଇ ରହିଥିବ ବୋଲି କହିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ୍‌‌ରେ ସଶସ୍ତ୍ର ରିଜର୍ଭ ପୋଲିସ୍‌‌ ବାହିନୀ, ହୋମଗାର୍ଡ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ୍‌‌.ସି.ସି., ସ୍କାଉଟ୍‌‌, ଗାଇଡ୍‌‌, ରେଡ୍‌‌କ୍ରସ୍‌‌, ସିଭିଲିଆନ୍‌‌ ଦଳ ମାର୍ଚ୍ଚପାଷ୍ଟ୍‌‌ କରି ମୁଖ୍ୟଅତିଥି ଶ୍ରୀ ମଲ୍ଲିକଙ୍କୁ ଅଭିବାଦନ ଜଣାଇଥିଲେ। ଜିଲାପାଳ ଆଶିଷ ଠାକରେ ଓ ଏସ୍‌‌.ପି. ନୀତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ସଞ୍ଜୀବ କୁମାର ବାରିକ ସମାରୋହର ଧାରାବିବରଣୀ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ବିମଳ ଚନ୍ଦ୍ର ରାଉତ ଆନୁଷ୍ଠାନିକ ପରେଡ୍‌‌ ପରିଚାଳନା କରିଥିଲେ। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟ୍‌‌କୋ କୁଜୁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, କେନ୍ଦୁଝରଗଡ଼଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ ଏବଂ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜର ବିଭିନ୍ନବର୍ଗର ଜନସାଧାରଣ ଉପସ୍ଥିତ ଥିଲେ। ଏସ୍‌‌.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ ଏବଂ ଟାଉନଥାନା ଅଧିକାରୀ ସୁନୀଲ କରଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀ ଶାନ୍ତିଶୃଙ୍ଖଳା ଦାୟିତ୍ୱ ନିର୍ବାହ କରିଥିଲେ।

ଏହି ଅବସରରେ ଜିଲାର ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍‌‌ ଭାବେ ଭାଗ୍ୟଶ୍ରୀ ପ୍ରଧାନ, ଶ୍ରେଷ୍ଠ ବାଳକ ମାଟ୍ରିକ୍ୟୁଲେଟ ଭାବେ କଳିଙ୍ଗ କୁମାର ସାହୁ, ଶ୍ରେଷ୍ଠ ଅନୁସୂଚିତ ଜନଜାତିି ମାଟ୍ରିକ୍ୟୁଲେଟ ଭାବେ ମିହିର କୁମାର ମାଝୀ, ଶ୍ରେଷ୍ଠ ଅନୁସୂଚିତ ଜାତି ମାଟ୍ରିକ୍ୟୁଲେଟ ଭାବେ ଦୀପକ କୁମାର ଦଳେଇ, ଶ୍ରେଷ୍ଠ ଜୁଆଙ୍ଗ ମାଟ୍ରିକ୍ୟୁଲେଟ ଭାବେ ସୁଶାନ୍ତ ଜୁଆଙ୍ଗ, ଶ୍ରେଷ୍ଠ ସିବିଏସ୍‌‌ଇ ମାଟ୍ରିକ୍ୟୁଲେଟ୍‌‌ ଭାବେ ବିଦ୍ୟା ପ୍ରିୟଦର୍ଶିନୀ ଶାନ୍ତି, ଶ୍ରେଷ୍ଠ ଆଇସିଏସ୍‌‌ଇ ମାଟ୍ରିକ୍ୟୁଲେଟ୍‌‌ ଯୁଗ୍ମ ଭାବେ ଆୟୁଷ୍ମାନ ନନ୍ଦ ଓ ହିମାଂଶୁ କୁମାର, ଶ୍ରେଷ୍ଠ +୨ ବିଜ୍ଞାନ ଛାତ୍ର ଭାବେ ଶୁଭସ୍ମିତା ମହାନ୍ତ, ଶ୍ରେଷ୍ଠ +୨ କଳା ଛାତ୍ର ଭାବେ ସ୍ମୃତିରେଖା ଜେନା, ଶ୍ରେଷ୍ଠ +୨ ବାଣିଜ୍ୟ ଛାତ୍ର ଭାବେ ସଚିନ ସୌଭାଗ୍ୟ ସାହୁ, ଆଦର୍ଶ ସେବକ ଭାବେ ସରକାରୀ (ଏସ୍‌‌ଏସ୍‌‌ଡି) ଆଶ୍ରମ ବିଦ୍ୟାଳୟ, ଶୁଆକାଟୀର ପ୍ରଧାନସେବକ ବିକାଶ ଶତପଥୀ, ଆଦର୍ଶ ସେବିକା ଭାବେ ସରକାରୀ (ଏସ୍‌‌ଏସ୍‌‌ଡି) ଆଶ୍ରମ ବିଦ୍ୟାଳୟ, ପୁରୁମୁଣ୍ଡାର ସରସ୍ୱତୀ ସେଠୀ, ଆଦର୍ଶ ଅଙ୍ଗନୱାଡିକର୍ମୀ ଭାବେ ବାଂଶପାଳ ବ୍ଲକ ତରମାକାନ୍ତ ଅଙ୍ଗନୱାଡି କେନ୍ଦ୍ରର ସମ୍ବାରି ନାଏକ, ଆଦର୍ଶ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ତେଲକୋଇ ବ୍ଲକ କାଳିଆହତା ସ୍ୱାସ୍ଥ୍ୟ ଉପକେନ୍ଦ୍ରର କଳ୍ପନା ସେଠୀ, ଆଦର୍ଶ ଏସ୍‌‌ଏଚ୍‌‌ଜି ଭାବେ ସାହାରପଡ଼ା ବ୍ଲକ ସିଆଳିଯୋଡା ଗ୍ରାମର ମା’ଲକ୍ଷ୍ମୀଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ, ଆଦର୍ଶ ଉଦ୍ୟାନ କୃଷକ ଭାବେ ଚମ୍ପୁଆ ବ୍ଲକ କଞ୍ଚନପୁର ଗ୍ରାମର ମିନତୀ ମୁଣ୍ଡା, ଚାରାରୋପଣ କ୍ଷେତ୍ରରେ ଆଦର୍ଶ ବିଦ୍ୟାଳୟ ଭାବେ ଝୁମ୍ପୁରା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିରିଆବାହାଳ, ଶ୍ରେଷ୍ଠ ଫୁଟ୍‌‌ବଲ ଖେଳାଳୀ ଭାବେ ସାହାରପଡ଼ା ବ୍ଲକ ଗୋଳକୁଣ୍ଡର ଲେସନ କୁମାର ମୁଣ୍ଡା, କ୍ରୀଡାବିତ୍‌‌ ଭାବେ ଜାତୀୟ/ଆର୍ନ୍ତଜାତୀୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କ୍ରୀଡାବିତ୍‌‌ ଆଥ୍‌‌ଲେଟ୍‌‌ ମନୀଷା ମେରେଲ୍‌‌, ଦୃଷ୍ଟିଶକ୍ତି ବାଧିତ କ୍ରିକେଟର ଝିଲି ବିରୁଆ, ଉଷୁ କ୍ରୀଡାବିତ୍‌‌ ଶ୍ୱେତାରାଣୀ ମହାନ୍ତ, ଆଦର୍ଶ ଡ୍ରାଇଭର ଭାବେ ଯୋଡା ବ୍ଲକ କାର୍ଯ୍ୟାଳୟର ମହମ୍ମଦ ଆନ୍ନାମୁଲ୍ଲା ଆନସାରୀ, ଶ୍ରେଷ୍ଠ ପୌରପାଳିକା ଭାବେ ବଡବିଲ ପୌରପାଳିକା, ସ୍ୱେଚ୍ଛାକୃତ ରକ୍ତଦାତା ତଥା ରକ୍ତଦାନ କ୍ଷେତ୍ରରେ ମୋଟିଭେଟର ଭାବେ ଆକାଶ ରାଜ୍‌‌, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଓ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶା ଖଣି ନିଗମ ବଡବିଲ୍‌‌, ୨୦୨୧ ମସିହା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି କେନ୍ଦୁଝର ଜିଲା ପାଟଣା ବ୍ଲକ ଅର୍ନ୍ତଗତ ଟାଙ୍ଗରପଡ଼ା ଗ୍ରାମର ସୁଦେବ କୁମାର ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ମିଳିତ ପରେଡ୍‌‌ରେ ଚିତ୍ତାକର୍ଷକ ପରେଡ୍‌‌ ପାଇଁ ଏନ୍‌‌ସିସି./ସ୍କାଉଟ୍‌‌/ଗାଇଡ୍‌‌/ରେଡ୍‌‌କ୍ରସ ବର୍ଗରେ ସିନିୟର ଡିଭିଜନ ଏନ୍‌‌ସିସି ଡି.ଡି. କଲେଜ (ବାଳକ ଦଳ) କେନ୍ଦୁଝର, ସିଭିଲିଆନ୍‌‌ ଜୁନିୟର୍‌‌ ବର୍ଗରେ ଡିଏଭି ପବ୍ଲିକ୍‌‌ ସ୍କୁଲ ଏବଂ ସିଭିଲିଆନ୍‌‌ ସିନିୟର୍‌‌ ବର୍ଗରେ ଏନ୍‌‌ଏସ୍‌‌ ପୋଲିସ ହାଇସ୍କୁଲ (ବାଳକ ଦଳ)କୁ ମୁଖ୍ୟ ଅତିଥି ସିଲଡ୍‌‌ ପ୍ରଦାନ କରିଥିଲେ। ଏତଦ୍‌‌ବ୍ୟତୀତ ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ନିମନ୍ତେ କିଡ୍‌‌ସ୍‌‌ ପବ୍ଲିକ୍‌‌ ସ୍କୁଲ୍‌‌, କେନ୍ଦୁଝର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର, ନିର୍ମଳା କନଭେଣ୍ଟ ସ୍କୁଲ୍‌‌ ଏବଂ ସରସ୍ୱତୀ ଶିଶୁ ମନ୍ଦିର ବଣିଆପାଟ ଦଳକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟଅତିଥି ସକାଳେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂିର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବଡହଳ ଶିଶୁ ଉଦ୍ୟାନ ଉଦ୍‌‌ଘାଟିତ ହୋଇଥିଲା। ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍‌‌ଠାରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ କବିତା ପାଠୋତ୍ସବ, ଧରଣୀଧର ସ୍ପୋର୍ଟସ୍‌‌ କମ୍ପେ୍ଲକ୍ସ୍‌‌ ଶଙ୍କରପୁରଠାରେ ଜିଲା ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍‌‌ଠାରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଅଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ହରଭଙ୍ଗା ତହସିଲଦାର ସୁଶ୍ରୀ ଶିବାନୀ ଦାଶ, ପୁରୁଣାକଟକ ଥାନା ଅଧିକାରୀ ଞାନେନ୍ଦ୍ର କୁମାର ମିଶ୍ର, ହରଭଙ୍ଗା ବିଇଓ ଅଜୟ ଲୁହା ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବା ପରେ ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ଗଳ୍ପ. କବିତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କାର ବଣ୍ଟନ କରିଥିଲେ।

ଗୁରୁଡ଼ିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଡାକ୍ତରଖାନା ଏବଂ ସେବିକା ମହାବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଲୋକ ସେବକ ମଣ୍ଡଳ ରାଷ୍ଟିୟ ସଂପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ପାଇଁ ଆତ୍ମବଳୀ ଦେଇଥିବା ପ୍ରତ୍ୟେକ ବୀର ଶହୀଦ ଓ ମୁକ୍ତିଯୋଦ୍ଧା ଆମ ପାଇଁ ବନ୍ଦନୀୟ। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖି ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ଠିକଣା ଢଙ୍ଗରେ ସମାପନ କଲେ ଦେଶ ପ୍ରଗତିପଥରେ ଆଗେଇଯିବ। ଦେଶ ବହୁ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶିତ କରିଛି। ହେଲେ ଆମକୁ ସମ୍ମିଳିତ ଭାବରେ ଅନେକ କାର୍ଯ୍ୟ ଜାତୀୟ ଭାବନା ନେଇ କରିବାର ଅଛି। ଏହାଦ୍ୱାରା ଦେଶ ବିଶ୍ୱରେ ନିଜର ସ୍ୱତନ୍ତ୍ରତା ଓ ବିଜୟ ବୈଜୟନ୍ତୀ ଉଡାଇପାରିବ ବୋଲି କହିଥିଲେ। ଗୋପବନ୍ଧୁ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶଙ୍କ ସଂଯୋଜନାରେ ଆୟୋଜିତ ସ୍ୱାଧୀନଦା ଦିବସରେ ଚିକିତ୍ସକ, କର୍ମଚାରୀ,ସେବିକା ମହାବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରଣଜିତ୍‌‌ ନାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କଖଡି +୨ କଲେଜ ଓ ମହାନଦୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଣଜିତ୍‌‌ ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଖଟୁଆ ଙ୍କ ସହ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ରହିଥିଲେ। ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ କଖଡି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି।ସଂଘର ସଭାପତି ଭାଗିରଥି ସାହୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି, ଚନ୍ଦ୍ରଶେଖର ପରିଡ଼ା,ବିଷ୍ଣୁଚରଣ ମହାରଣା, ପ୍ରମୋଦ ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ। ନଥିଂ ଇଜି ଇମ୍ପସିବୁଲ ସଂଗଠନ ପକ୍ଷରୁ ପ୍ରାକ୍ତନ ଅର୍ଦ୍ଧସାମରିକ ବାହୀନି ଅଧିକାରୀ ବଂଶୀଧର ଶତପଥି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୁରୁଡ଼ିଝାଟିଆ ଥାନାରେ ଥାନା ଅଧିକାରୀ ସୁମନ୍ତ କିସାନ, ଖୁଣ୍ଟୁଣୀ ଥାନାରେ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦିଲ୍ଲିପ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନବେଢ଼ା ବରିଷ୍ଠ ନାଗରିକ ମଞ୍ଚ ନବେଢ଼ା ପକ୍ଷରୁ ବରିଷ୍ଠ ସଦସ୍ୟ ଉଦୟନାଥ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ସଂପାଦକ ଶରତ କୁମାର ଖୁଣ୍ଟ୍ରିଆ, ଶିକ୍ଷାବିତ୍‌‌ ଅନିରୁଦ୍ଧ ନନ୍ଦ, ଜଗନ୍ନାଥ ଧଳ, ରମ୍ଭାବତୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories