ସମ୍ବଲପୁର: ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ତରଫରୁ ବୁଧବାର ପଶ୍ଚିମ ଓଡ଼ିଶାର ୧୨ଟି ଜିଲାର ସଦସ୍ୟ ମାନଙ୍କୁ ନେଇ ଏକ ବିଶାଳ ରାଲି ସମ୍ବଲପୁର ଠାରେ ଆୟୋଜିତ କରାଯାଇଥିଲା। ସ୍ଥାନୀୟ ଜିଏମ କଲେଜ ଛକରୁ ଆରମ୍ଭ ହୋଇଥିବା ଏହି ରାଲିରେ ହଜାର ହଜାର ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଓ ପୋଷ୍ଟର ପ୍ରଦର୍ଶନ କରି ସେମାନଙ୍କର ୧୧ ଦଫିଆ ଦାବୀ ପୁରଣ ସକାଶେ ଦାବି କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହୁଞ୍ôଚଥିଲେ। ସେଠାରେ ଏକ ବିକ୍ଷୋଭ ସଭା ଆୟୋଜିତ କରି ତୀବ୍ର ବିରୋଧ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ପ୍ରଦାନ କରିଥିଲେ।
ମହାସଂଘ ପକ୍ଷରୁ ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ନିୟମିତ କରିବା, ସମାନ କାମକୁ ସମାନ ଦରମା, ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ, ପୂର୍ବରୁ ହଟା ଯାଇଥିବା କର୍ମଚାରୀ ମାନଙ୍କୁ ପୁନଃ ଚାକିରୀ ପ୍ରଦାନ, ୨୫ ପ୍ରତିଶତ ଦରମା ବୃଦ୍ଧି, ପ୍ରତି ବର୍ଷ ୧୦ ପ୍ରତିଶତ ଦରମା ବୃଦ୍ଧି, ବରିଷ୍ଠତାର ଆଧାରରେ ବିଭିନ୍ନ ଆର୍ଥିକ ଲାଭ ପ୍ରଦାନ, କାର୍ଯ୍ୟରତ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହେଲେ ୬ ଲକ୍ଷ ଟଙ୍କା ଓ ମୃତ୍ୟୁବରଣ କରିଲେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରିଲେ ପରିବାରର ଜଣକୁ ମାନବୀୟ ସେବା ଆଧାରରେ ଚାକିରୀ ପ୍ରଦାନ ଓ ମହିଳା କର୍ମଚାରୀ ମାନଙ୍କୁ ୨ ଥର ମେଟରନିଟି ଛୁଟି ଦେବା ଆଦି ୧୧ ଦଫିଆ ଦାବି କରାଯାଇଛି। ମୁଖ୍ୟ ଶାସନ ସଚିବ ଙ୍କ ଠାରୁ ଆରମ୍ଭ କରି ଉନ୍ନୟନ କମିଶନର ପର୍ଯ୍ୟନ୍ତ ସମସ୍ତେ ଦୀର୍ଘ ବର୍ଷ ହେବ ବହୁ ଆବେଦନ ଓ ନିବେଦନ ପରେ କେବଳ ପ୍ରତିଶୃତି ଦେଇଛନ୍ତି।
ଏଣୁ ଗତ ୧୭ ତାରିଖରେ ବ୍ରହ୍ମୁପୁର ରାଜସ୍ୱ କମିଶନରଙ୍କ ଦପ୍ତର ଘେରାଉ ପରେ ଆଜି ସମ୍ବଲପୁର ରାଜସ୍ୱ ଆୟୁକ୍ତଙ୍କ ଦପ୍ତରକୁ ଘେରାଉ ମହାସଂଘ କରିଛି। ଆସନ୍ତା ୨୧ ତାରିଖରେ କଟକ ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦପ୍ତର ଘେରାଉ ପରେ ମଧ୍ୟ ଯଦି ସରକାର ଦାବୀ ପୁରଣ ନ କରନ୍ତି ତାହା ହେଲେ ଆଗାମୀ ୩୧ ତାରିଖରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର କରି ଗୁହାରି କରିବେ ବୋଲି ରାଜ୍ୟ ସଭାପତି ସଞ୍ଜୟ ପଟ୍ଟନାୟକ କହିଛନ୍ତି। ଆଜିର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ ସମୟରେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡା, ଢ଼େଙ୍କାନାଳ, ନୁଆପଡ଼ା ଓ କେନ୍ଦୁଝର ଜିଲାରୁ ସଦସ୍ୟ ମାନେ ଯୋଗ ଦେଇଥିଲେ।



