ପଞ୍ଚାୟତ ପ୍ରତିନିଧିଙ୍କ ମଳ ଉପଚାର କେନ୍ଦ୍ର ପରିଦର୍ଶନ
ଆଠଗଡ଼: ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ପରିବେଶ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଶୌଚାଳୟ ଟାଙ୍କିରୁ ନିର୍ଗତ ମଳକୁ କିପରି ଉପଚାର କରି ଖତ ଆଦି ପ୍ରସ୍ତୁତ କରାଯାଇପାରିବ ସେ ସଂପର୍କରେ ଜ୍ଞାନ ଆହରଣ ପାଇଁ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ମଙ୍ଗଳବାର ଏନଏସିର ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ। ଏବେ ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ଲୋକମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ଦେଇ ଶୌଚାଳୟରୁ ମଳ ସ୍ୱତନ୍ତ୍ର ଟାଙ୍କିଥିବା ଯାନ ଦ୍ୱାରା ନିଷ୍କାସିତ କରିପାରିବେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଏବଂ ପରିସ୍କାର ପରିଚ୍ଛନ୍ନତା ରକ୍ଷା କରାଯାଇପାରିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନା ଆଠଗଡ଼ ବ୍ଲକରୁ ଆରମ୍ଭ ହୋଇଛି। ବିଡିଓ ପ୍ରଦୀପ କୁମାର ସାହୁ ଓ ବ୍ଲକ ସମ୍ବଳ ସଂଯୋଜକ ଦୀପକ କୁମାର ପଟ୍ଟନାୟକଙ୍କ ପୂର୍ବ ପ୍ରସ୍ତୁତି ଓ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଠଗଡ଼ ବ୍ଲକର ୧ନଂ ଜୋନ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଆଙ୍କୁଲାସ୍ଥିତ ଏନଏସିର ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ। ୧ନଂ ଜୋନ ଅନ୍ତର୍ଗତ ବଡଭୂଇଁ, ଇଚ୍ଛାପୁର, ଜେନାପଦା, ସମସରପୁର, ଖୁଣ୍ଟକଟା, ସଠିଲୋ, ଦୋରଡ, କୁଲାଇଲୋ, ଯୋରନ୍ଦା ଓ ତରଡିଙ୍ଗ ପଞ୍ଚାୟତର ପ୍ରତିନିଧିମାନେ ଉକ୍ତ କେନ୍ଦ୍ର ପରିଦର୍ଶନ କରିବା ପରେ ସେମାନେ ଏହି ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଥିଲେ।
Comments are closed.