QNETIC – Mobile

ଅରୁଆ ଚାଉଳରେ କ୍ଷୁଦ୍ରାକୃତି ରଥ ଗଢିଲେ ଯୁବ ଶିଳ୍ପୀ ଏନ ପ୍ରତ୍ୟୁଷ, ସାରୁପତ୍ରରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନାମିକା

ଫୁଲବାଣୀ: ଅରୁଆ ଚାଉଳରେ କ୍ଷୁଦ୍ରାକୃତି ରଥ ଗଢି ସମସ୍ତଙ୍କୁ ଚକିତ କରିଛନ୍ତି ଫୁଲବାଣୀର ଯୁବଶିଳ୍ପୀ ଏନ ପ୍ରତ୍ୟୁଷ କୁମାର। ପ୍ରତ୍ୟୁଷଙ୍କ ଏହି କ୍ଷୁଦ୍ର ନନ୍ଦିଘୋଷ ରଥର ଉଚ୍ଚତା ମାତ୍ର ୨ ସେଣ୍ଟିମିଟର ରହିଥିବା ବେଳେ ଚଉଡା ୧.୫ ଓ ଦୈର୍ଘ୍ୟ ୧.୯ ସେମି ରହିଛି। ପୂର୍ବରୁ ପ୍ରତ୍ୟୁଷ ୨.୪ ସେ ମିର ଚକଖଡିରେ ନିର୍ମିତ ରଥ ଗଢି ରେକର୍ଡ କରିଥିଲେ। ଏବେ ସେ ନିଜ ରେକର୍ଡ ଭାଙ୍ଗିଥିବା ଦାବୀ କରିଛନ୍ତି। ଏହି କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି ଗଢିବା ପାଇଁ ଚାରି ଦିନ ସମୟ ଲାଗିଥିବା କହିଛନ୍ତି ପ୍ରତ୍ୟୁଷ। ଏହି ବିରଳ କଳାକୃତିକୁ ବିଭିନ୍ନ ରେକର୍ଡ ବୁକକୁ ପଠାଇବା ପାଇଁ ଯୋଜନା ରଖିଥିବା ସେ ପ୍ରକାଶ କରିଛନ୍ତି। ଫୁଲବାଣୀ ନଦୀଖଣ୍ଡି ସାହି ନିବାସୀ ଅବସରପ୍ରାପ୍ତ ସେନା କର୍ମଚାରୀ ଏନ ପ୍ରେମ କୁମାର ଚୌଧୁରୀ ଓ ମମତା ଚୌଧୁରୀଙ୍କ ପୁଅ ପ୍ରତ୍ୟୁଷ ଖଲ୍ଲିକୋଟ ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରୁ ଭିଜୁଆଲ ଆର୍ଟସରେ ପାଠ୍ୟକ୍ରମ ସାରିବା ପରେ ଏବେ ଅହମ୍ମଦାବାଦଠାରେ ଗ୍ରାଫିକ ଡିଜାଇନିଙ୍ଗରେ ମାଷ୍ଟର କୋର୍ସ କରୁଛନ୍ତି। ପୂର୍ବରୁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ପ୍ୟାସନ ଏକ୍ସପ୍ଲୋଜନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଗ୍ରହଣ କରିଥିଲେ। ନିଜର ବିରଳ ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ ସରେ ମଧ୍ୟ ସ୍ଥାନ ପାଇଛନ୍ତି। ଯୁବ ପ୍ରତିଭା ପ୍ରତ୍ୟୁଷଙ୍କ ଏହି ଅନନ୍ୟ କଳାକୃତି ସମସ୍ତଙ୍କୁ ଚକିତ କରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ସେହିଭଳି ଟିକାବାଲି ଅଞ୍ଚଳର ଯୁବତୀ ଅନାମିକା ଭୋଇ ମଧ୍ୟ ରଥଯାତ୍ରା ଅବସରରେ ଏକ ଗଛରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ୍‌‌ ଚର୍ଚ୍ଚରେ। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଅନାମିକା ବିଭିନ୍ନ ସମୟରେ ଗଣମାଧ୍ୟମ ପୃଷ୍ଟାରେ ସ୍ଥାନ ପାଇବା ସହିତ ତାଙ୍କର ଭିନ୍ନ ଭିନ୍ନ ଚିତ୍ରକୁ ନେଇ କନ୍ଧମାଳ ଜିଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଚଳିତ ରଥଯାତ୍ରା ଅବସରରେ ଜୀବନ୍ତ ଗଛରେ ଏଭଳି ଚିତ୍ର ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ବିଭିନ୍ନ ମହଲରୁ ତାଙ୍କୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.