QNETIC – Mobile

ପାଉଁଶ ଉଠାଇ ନିଅ, ନ ହେଲେ ଇଚ୍ଛାମୃତ୍ୟୁ ଦିଅ

ସମ୍ବଲପୁର: ସମ୍ବଲପୁର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ନିଲଡୁଙ୍ଗୁରୀ ଅଞ୍ଚଳରେ ଜାତୀୟ ରାଜପଥକୁ ଲାଗି କରିଥିବା ଏକ ସ୍ଥାନରେ ଫ୍ଲାଏ ଆସ (ପାଉଁଶ) ପକାଇବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ଅନେକ ଦିନ ବିତିଯିବା, ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ୱେ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଯୁଯୁମୁରା ଅଞ୍ଚଳରେ ଦିନକୁ ଦିନ ପାଉଁଶ ମାଫିଆ ଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି। ବେଆଇନ ଭାବରେ ପାଉଁଶ ଆଣି ଡମ୍ପିଂ କରିବାରେ ଲାଗିଛନ୍ତି। ଯାହାକି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଛି। ଏବେ ଯୁଯୁମୁରା ତହସିଲ ଅର୍ନ୍ତଗତ ନିଲଡୁଙ୍ଗୁରୀ ଅଞ୍ଚଳରେ ଏହି ପାଉଁଶ ଡମ୍ପିଂ ଚାଲିଛି। କୌଣସି ସ୍ଥାନରେ ପାଉଁଶ ଡମ୍ପିଂ କରିବାର ଯୋଜନା ରହିଥିଲେ, ସେହି ଅଞ୍ଚଳର ସରପଞ୍ଚ, ଆରଆଇ, ତହସିଲଦାର ଙ୍କ ଠାରୁ ଅନୁମତି ପତ୍ର ନେବାର ବ୍ୟବସ୍ଥା ରହିଛି। କିନ୍ତୁ ବିନା ଅନୁମତି ପତ୍ରରେ ଅସାଧୁ ବ୍ୟବସାୟୀ ମାନେ ପାଉଁଶ ଉପୋରକ୍ତ ସ୍ଥାନରେ ଡମ୍ପିଂ କରି ଚାଲିଛନ୍ତି। କବରାପାଲି ସରପଞ୍ଚ ଓ ସ୍ଥାନୀୟ ପରିବେଶବିତ ଏ ନେଇ ପୂର୍ବରୁ ଜିଲାପାଳଙ୍କ ସାକ୍ଷାତକାର କରି ଏ ବାବାଦରେ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଅଞ୍ଚଳର ଜୀବଜଗତ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ତୁରନ୍ତ ବେଆଇନ ଭାବରେ ଚାଲିଥିବା ପାଉଁଶ ଡମ୍ପିଂକୁ ବନ୍ଦ କରିବା ସହିତ ଏ ପର୍ଯ୍ୟନ୍ତ ପଡ଼ିଥିବା ସମସ୍ତ ପାଉଁଶ ଗୁଡିକୁ ଉଠାଇବାକୁ ଦାବି କରାଯାଉଛି। ଯଦି ପାଉଁଶ ଗୁଡିକୁ ଉଠା ନ ଯାଏ, ତାହା ହେଲେ ଏହି ବିଷ ବଳୟ ମଧ୍ୟରେ ରହିବା ଅପେକ୍ଷା ଇଚ୍ଛାମୃତ୍ୟୁ ଦେଇଦେବା ଭଲ ବୋଲି ଅଞ୍ଚଳବାସୀ ଜିଲା ପ୍ରଶାସନକ ନିକଟରେ ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ୍ୟ କରିଛନ୍ତି। ତୁରନ୍ତ ଅଞ୍ଚଳରୁ ପାଉଁଶ ଗୁଡିକୁ ଉଠା ଯାଇ ଏହି ମାଫିଆ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ରରେ ବନିତା ଓରାମ, ଜୟନ୍ତ କୁମାର ପ୍ରଧାନ, ଲକ୍ଷ୍ମୀ ପଧାନ, କୁନ୍ତି ସିଂ, ଅହଲ୍ୟା ସିଂହ, ମୂଲା ପ୍ରଧାନ, ପ୍ରେମସିଲା ପ୍ରଧାନ, ପ୍ରଭାତ ଟପ୍ପୋ, ଅଭିମନ୍ୟୁ ବାଗ, ସଶ୍ମିତା ରାଣୀ ଦେହୁରୀ, ଜୟଗୋପାଳ ଭୂଏ, ସୁଶିଳା ଛତର, ସାନନ୍ଦ ମିର୍ଦ୍ଧା, ମଣ୍ଟୁ ବାଗ, ରିତା ଭୋଇ, ବିମଳା ପଧାନ, ସରସ୍ୱତୀ ପଧାନ ଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

ସୂଚନାଯୋଗ୍ୟ ଯେ, ଯୁଯୁମୁରା ବ୍ଲକ ଅର୍ନ୍ତଗତ କବରାପାଲି ପଞ୍ଚାୟତର ନୀଲ ଡୁଙ୍ଗୁରୀ, କୁଡାପଡ଼ା, ବାଡାପଡ଼ା, ପଇଦାପାଳ, ତୁରିପଡ଼ା, କୁଟରାଜୁରୀ, ବାହାମ, ପାଳୀପୁଡା ଆଦି ଅଞ୍ଚଳରେ ଖାଲି ପଡ଼ିଥିବା ଜମିରେ ବେଆଇନ ଭାବରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଦ୍ୱାରା ଫ୍ଲାଏ ଆସ ପକାଉଥିବାର ଅଭିଯୋଗ ହୋଇ ଆସୁଛି। ପାଉଁଶ ପକାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହିତ ଅଞ୍ଚଳ ସବୁ ସମୟରେ ଧୁଳିମୟ ହୋଇ ରହୁଛି। ଫଳରେ ଜୀବଜଗତ ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥି ସହ ଅଞ୍ଚଳରେ ଚାଷ କାର୍ଯ୍ୟ ମଧ୍ୟ ବ୍ୟାଘ୍ରାତ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଙ୍କ ତରଫରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇ ନାହିଁ। ଏଣୁ ଗତ ୧୪ ତାରିଖରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ଜନ ପ୍ରତିନିଧି ମାନଙ୍କ ସହିତ ଅଞ୍ଚଳବାସୀ ପାଉଁଶ ପକାଯାଉଥିବା ଅଞ୍ଚଳରେ ଏକତ୍ରିତ ହୋଇ ପାଉଁଶ ପକାଇବାକୁ ବିରୋଧ କରିବା ସହିତ ସଦର ଥାନାରେ ସାମୁହିକ ଅଭିଯୋଗ କରିଛନ୍ତି। ଏହି ଘଟଣାର ୧ ସପ୍ତାହରୁ ଅଧିକ ସମୟ ବିତିଯିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଞ୍ଚଳବାସୀ ଆଜି ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଗତ ସପ୍ତାହରେ ବିବାଦ ଉଠିବା ପରେ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ପାଉଁଶ ପକାଯିବାକୁ ପରୋକ୍ଷରେ ରୋକ ଲଗାଯାଇଥିବା ବେଳେ ଏହି ଘଟଣାରେ କୌଣସି ପ୍ରକାରର ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଆଯାଇ ନ ଥିବାର ଜଣାପଡ଼ିଛି।

Comments are closed.