ସାମୁହିକ ଛୁଟିରେ ଗଲେ ସମସ୍ତ ଅମଲା, ସରକାରୀ ବିଭାଗ କର୍ମଚାରୀ ଶୂନ୍ୟ

ଭବାନୀପାଟଣା: ଗୋଟିଏ ଦଫା ଦାବି ନେଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଆହ୍ୱାନ କ୍ରମେ ଜୁନ ୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ତହସିଲ ସମେତ ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଥିବା ସମସ୍ତ ସରକାରୀ ବିଭାଗ ଓ ଜିଲ୍ଲାର ୧୩ ବ୍ଳକ, ତହସିଲ, ଟ୍ରେଜେରୀ ଓ ଅନ୍ୟାନ୍ୟ ସରକାରୀ ବିଭାଗର କାର୍ଯ୍ୟରତ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବା ଫଳରେ ସମସ୍ତ ଅଫିସରେ କେବଳ ଅଧିକାରୀଙ୍କୁ ଛାଡି ଦେଲେ ବିଭିନ୍ନ ବିଭାଗରେ କେବଳ ଚେୟାର ଓ ଟେବୁଲ ଶୋଭା ପାଉଛି। ସବୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ହୋଇଥିବାରୁ ସରକାରୀ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି ଓ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ପୂର୍ବ ନିଷ୍ପତ୍ତି ଅନୁଯାଇ କଳାହାଣ୍ଡି ଜିଲ୍ଲାର ସମସ୍ତ ଅମଲା ନିଜନିଜ ଅଧିକାରୀଙ୍କ ନିକଟରେ ଜୁନ ୧ ତାରିଖରୁ ଛୁଟିରେ ଯିବା ପାଇଁ ଗତ ୨୯ ଓ ୩୦ ତାରିଖ ଦିନ ଛୁଟି ଆବେଦନ କରିଥିଲେ। ଜୁନ୍ ୧ ତାରିଖରୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିଛନ୍ତି। ଅମଲା ମାନଙ୍କ ଅନୁପସ୍ଥିତିରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିଭିନ୍ନ ଯୋଜନା ସହିତ ସରକାରୀ କାର୍ଯ୍ୟରେ ମଧ୍ୟ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଜନସାଧାରଣ ଏହି ସମସ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ଦାଇ ବୋଲି ୧ ତାରିଖ ଦିନ ସ୍ଥାନୀୟ ଅମଲା ଭବନରେ ଅନୁଷ୍ଠିତ ବୈଠକରେ ରେ ଅମଲା କର୍ମକର୍ତ୍ତା ଓ ଅମଲା ନେତା ମାନେ ରୋକଠୋକ ଭାବରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବିଶାଳ ସମାବେଶରେ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର ଅମଲା ନେତା ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Comments are closed.