www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରେ ନବୀନଙ୍କ ନୂଆ ରାଜନୀତି

ଅଶ୍ଵିନୀ ବୈଷ୍ଣବ ପ୍ରାର୍ଥୀ ହେବା କେନ୍ଦ୍ରୀୟ ନିଷ୍ପତ୍ତି: ବିଜେପି

କେଉଁ ମୁହଁରେ ବିଜେପି ବିଧାସଭାରେ ବିରୋଧୀ ଦଳ ଭୂମିକା ତୁଲାଇବ: କଂଗ୍ରେସ

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଘାତକ ହେବ: ସିପିଏମ

ଭୁବନେଶ୍ଵର: ଜୁଲାଇ ୫ରେ ଓଡ଼ିଶାରେ ରାଜ୍ୟସଭାର ୩ ଆସନ ପାଇଁ ଉପନିର୍ବାଚନ ହେବ। ତେବେ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ଲାଗି ଘୋଷଣା କରି ସମସ୍ତଙ୍କୁ ଚକ୍କିତ କରିଦେଇଛି। ଓଡ଼ିଶାର ହିତ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ରଖିବା ଫର୍ମୁଲାକୁ ଭୁଲିଯାଇଥିବା କୁହାଯାଉଛି। କୁହାଯାଉଛି ଯେ, କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଗଢ଼ିବା ପରେ ନବୀନ ‘ଦିଅ ଏବଂ ନିଅ’ ଫର୍ମୁଲା ଉପରେ କାମ କରିବାରେ ଲାଗି ପଡ଼ିଛନ୍ତି।

ନିର୍ବାଚନ ସମୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇଥିବା ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ ବର୍ତ୍ତମାନ ହାତ ମିଳାଇ ସାରିଥିବା ସ୍ପଷ୍ଟ ହେଉଛି। ଏହାର ପ୍ରଥମ ଉଦାହରଣ ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ। ଦ୍ବିତୀୟରେ କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର ଉପବାଚସ୍ପତି କରାଯାଇପାରେ। ଏହା ସହିତ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରଠାରୁ ଅଧିକରୁ ଅଧିକ ସହାୟତା ହାସଲ କରିବା ନବୀନଙ୍କ ଏଜେଣ୍ଡାରେ ସାମିଲ ହୋଇଥିବା କୁହାଯାଉଛି।

- Advertisement -

ଓଡ଼ିଶାର ରାଜନୀତିରେ ନବୀନଙ୍କ ରଣନୀତି ଦେଖି କେବଳ ବିଜେଡି ନୁହେଁ, ବିଜେପି ଏବଂ କଂଗ୍ରେସର ରାଜ୍ୟ ନେତାମାନେ ବି ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ସେମାନଙ୍କ ନାମ ହେଉଛି ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ଵିନୀ ବୈଷ୍ଣବ। ଅମର ପଟ୍ଟନାୟକ ପୂର୍ବରୁ ଆଶାୟୀ ଥିଲେ। ସେହିପରି ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଦଳର ବରିଷ୍ଠ ମୁଖପାତ୍ର ସସ୍ମିତ ପାତ୍ର ଯୁବଗୋଷ୍ଠୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତନିଧିତ୍ଵ କରୁଛନ୍ତି। କିନ୍ତୁ ଅଶ୍ଵିନୀ ବୈଷ୍ଣବଙ୍କ ନାମ ଅଚାନକ ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତାଧାରାକୁ ଦୋହଲାଇ ଦେଇଛି। ନବୀନ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଶ୍ଵିନୀ ବୈଷ୍ଣବଙ୍କୁ ସମର୍ଥନ ମାଗିଛନ୍ତି। ଏହା ଉପରେ ସେ ସହମତି ଜଣାଇଛନ୍ତି। ଏ ନେଇ ସେ କୌଣସି ମନ୍ତବ୍ୟ ଦେବେନାହିଁ ବୋଲି କହିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କୁହନ୍ତି, ତାଙ୍କ(ଅଶ୍ଵିନୀ ବୈଷ୍ଣବ) ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ଵ ଆପଣମାନଙ୍କୁ କହିଛି କହିପାରିବେ। ଏହା କହି ସେ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

ରାଜ୍ୟସଭା ଉପନିର୍ବାଚନରେ ୩ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଦରକାର ପଡ଼ୁଥିବା ସଂଖ୍ୟାକୁ ଦେଖିଲେ ଜଣେ ପ୍ରାର୍ଥୀଙ୍କ ପାଇଁ ୩୭ ବିଧାୟକଙ୍କ ଭୋଟର ଆବଶ୍ୟକତା ରହିଛି। ଏହି ଅନୁସାରେ ୧୧୧ ବିଧାୟକଙ୍କ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରିବ। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ୧୪୬ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ଅନୁସାରେ ବିଜେଡି ନିକଟରେ ୧୧୨ ସଦସ୍ୟ ରହିଛନ୍ତି। ବିଜେପିର ୨୩ ଏବଂ କଂଗ୍ରେସର ୯ ସଦସ୍ୟ ଅଛନ୍ତି। ନବୀନ ପ୍ରଥମେ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। କିଛି ସମୟ ପରେ ବିଜେପିର ଟ୍ବିଟ୍‌ ଆସିଲା ଯେ, ଅଶ୍ଵିନୀ ବିଜେପି ପ୍ରାର୍ଥୀ ଅଟନ୍ତି। ପରେ ନବୀନ ସଫେଇ ଦେଇ କହିଥିଲେ କି, ଅଶ୍ଵିନୀଙ୍କୁ ବିଜେଡି ସମର୍ଥନ ଦେଇଛି। ମୋଦୀ ଏବଂ ଶାହ ଅଶ୍ଵିନୀଙ୍କ ପାଇଁ ସମର୍ଥନ ମାଗିଥିଲେ। ନବୀନ ପୂର୍ବରୁ ଭୁବନେଶ୍ଵର ଲୋକସଭା ଆସନରୁ ସାଂସଦ ଥିବା ପ୍ରସନ ପାଟ୍ଟଶାଣୀଙ୍କ ଟିକେଟ କାଟି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲେ ଏବଂ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଶ୍ଵିନୀ ବୈଷ୍ଣବ ଆସିବା ପରେ ପାଟ୍ଟଶାଣୀଙ୍କ ଆଶା ଆଶାରେ ରହିଗଲା। ନବୀନ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ।

ଅଶ୍ଵିନୀ ବୈଷ୍ଣବ ହରିୟାଣାର ନିବାସୀ। ସେ ଜଣେ ପୂର୍ବତନ ଆଇଏଏସ ଅଫିସର ମଧ୍ୟ। ସେ ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଥିଲେ। କଟକ ଏବଂ ବାଲେଶ୍ଵରର ଜିଲାପାଳ ରହିଥିଲେ। ଓଡ଼ିଶା ଶାସନରେ ସେ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ। ପରେ ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍‌ ଅନୁସାର, ଅଶ୍ଵିନୀ ବିଦେଶରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ସେ ଅନେକ ନାମୀଦାମୀ କମ୍ପାନୀର ନିର୍ଦେଶକ ପଦବୀରେ ରହିଥିଲେ। ସେ ଓଡ଼ିଶାର ଖଣି କମ୍ପାନୀ ତ୍ରିବେଣୀ ପିଲେଟ୍‌ସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦେଶକ ଭାବେ ୨୦୧୭ ଫେବୃୟାରୀ ୧୩ରୁ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି।

ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ମନୋଜ ଜେନାଙ୍କ କହିବା ଅନୁସାରେ, କଂଗ୍ରେସ ପ୍ରଥମରୁ କହିଆସିଛି ଯେ ବିଜେଡି ଏବଂ ବିଜେପି ମଧ୍ୟରେ ଅଦୃଶ୍ୟ ମେଣ୍ଟ ରହିଛି। ଏହି ଉପନିର୍ବାଚନରେ ତାହା ସାମ୍ନାକୁ ଆସିଯାଇଛି। ତେଣୁ ବିଧାନସଭାରେ ବିଜେପି କେଉଁ ମୁହଁରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ତାହା ସହଜରେ ଅନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି।

ସିପିଏମ୍‌ର ଷ୍ଟେଟ୍‌ ସେକ୍ରେଟାରିଏଟ ସଦସ୍ୟ ଜନାର୍ଦ୍ଦନ ପତି କହିଛନ୍ତି ଯେ, ବିଜେଡି ଏବଂ ବିଜେପି ମଧ୍ୟରେ ବୁଝାମଣା ରାଜ୍ୟରେ ଗଣତାନ୍ତ୍ରିକ ଦୃଷ୍ଟିରୁ ଉଚିତ ନୁହେଁ। ବିଜେଡି ପ୍ରଥମେ ଲୋକସଭା ବାଚସ୍ପତି ପଦବୀ ପାଇଁ ବିଜେପି ସାଂସଦଙ୍କୁ ସମର୍ଥନ ଦେଲା। ତିନି ତଲାକରେ ଭୋଟିଂରୁ ବିରତ ରହି ପରୋକ୍ଷ ସମର୍ଥନ ଜଣାଇଲା। ଫଳରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଥିବା ଲୋକଙ୍କ ବିରୋଧରେ ସିବିଆଇ ତଦନ୍ତ ଢିଲା ହେବାର ସମ୍ଭାବନା ରହିଛି। ଏହି ବୁଝାମଣା ପାଟକୁରା ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ। ବିଜେଡି ଏବଂ ବିଜେପି ମଧ୍ୟରେ ପୂର୍ବରୁ ବି ମେଣ୍ଟ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories