www.samajalive.in
Sunday, December 7, 2025
14.1 C
Bhubaneswar

ଧର୍ମେନ୍ଦ୍ର, ଜୁଏଲଙ୍କୁ ପୁଣି କେନ୍ଦ୍ରମନ୍ତ୍ରୀ ପଦ ମିଳିବା ସମ୍ଭାବନା

ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିରେ ଓଡ଼ିଶାରୁ କିଏ ମନ୍ତ୍ରୀ ପଦ ପାଇବେ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଜାତୀୟସ୍ତରର ଚର୍ଚ୍ଚା ଅନୁଯାୟୀ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତିନିରୁ ଚାରି ଜଣଙ୍କୁ ଓଡ଼ିଶା କୋଟାରୁ ସ୍ଥାନ ମିଳିପାରେ। ପୂର୍ବ ଇତିହାସକୁ ଅନୁଶୀଳନ କଲେ ଦେଖାଯାଏ ଯେ ଅଣକଂଗ୍ରେସ ସରକାର ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ମିଳିଛି। ବାଜପେୟୀଙ୍କ ନେତୃତ୍ୱଧୀନ ଏନଡିଏ ସରକାରରେ ଦୁଇ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ସମେତ ଚାରି ଜଣଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୨୦୧୪ରେ ମାତ୍ର ଗୋଟିଏ ଆସନରୁ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ଓଡ଼ିଶାକୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳଥିଲା। ଏଥିସହ ବାହାର ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏବେ ବିଜେପି ସାଂସଦ ସଂଖ୍ୟା ୮ରେ ପହଞ୍ଚି ଥିବାରୁ ଓଡ଼ିଶା କୋଟାରୁ କେନ୍ଦ୍ରମନ୍ତ୍ରୀ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ।
ଧର୍ମେନ୍ଦ୍ରଙ୍କ କୁଶଳ ନେତୃତ୍ୱ ଓ ରଣନୀତି ଯୋଗୁଁ ଓଡ଼ିଶାରେ ବିଜେପି ସାଂସଦ ସଂଖ୍ୟା ୧ରୁ ୮କୁ ବୃଦ୍ଧି ପାଇଛି ବୋଲି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଅନୁଭବ କରୁଛନ୍ତି। ମୋଦି ସରକାରର ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୟୀ ସାଂସଦ ଜୁଏଲ ଓରାମ ମୋଦି ସରକାରରେ ଦ୍ୱିତୀୟ ଥର ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି। ଅନ୍ୟ ବିଜେପି ସାଂସଦଙ୍କ ତୁଳନାରେ ଜୁଏଲ ସର୍ବାଧିକ ୨ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଅଛନ୍ତି। ଜାତୀୟସ୍ତରର ଆଦିବାସୀ ନେତା ଭାବେ ପରିଚିତ ଜୁଏଲ ଓରାମଙ୍କ ଉଭୟ ବାଜପେୟୀ ଓ ମୋଦି ମନ୍ତ୍ରୀମଣ୍ଡଳରେ ୧୧ ବର୍ଷର କ୍ୟାବିନେଟ ମନ୍ତ୍ରୀ ଭାବେ ଅଭିଜ୍ଞତା ରହିଛି। କେନ୍ଦ୍ର ସରକାରରେ ଜୁଏଲ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ତୁଲାଇଛନ୍ତି।
ନବାଗତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଭୂବନେଶ୍ୱର ଲୋକସଭା ଆସନରୁ ବିଜୟୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀପଦ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। ତାଙ୍କୁ ଏନଡିଏ ସରକାରରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ନଭେମ୍ବରରେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇ ରାଜନୀତିରେ ସାମିଲ ହୋଇଥିଲେ ଅପରାଜିତା। ଜଣେ ଭଲ ପ୍ରଶାସିକା ଭାବେ ତାଙ୍କର ସୁନାମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ନିବିଡ଼ିତା ଅପରାଜିତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରେ।
ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବୀଦାର ଅଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରୁ ରାଜନୀତିକୁ ଆସିଥିବା ପ୍ରତାପଙ୍କ ନାଗପୁର ଲିଙ୍କ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଂପର୍କ, ନିର୍ମଳ ଭାବମୂର୍ତ୍ତି ଓ ସରଳ ଜୀବନଯାପନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଲୋକସଭାକୁ ଚତୁର୍ଥ ଥର ନିର୍ବାଚିତ ହୋଇଥିବା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମିଲ ଦୌଡ଼ରେ ଆଗରେ ଅଛନ୍ତି। ପଶ୍ଚିମ ଓଡ଼ିଶାର ୫ଟି ଆସନରେ ବିଜେପି ବିଜୟ ଲାଭ କରିଥିବାରୁ ମନ୍ତ୍ରିମଣ୍ଡଳରେ ସାମିଲ ନେଇ ବଲାଙ୍ଗିର ସାଂସଦ ସଂଗୀତା ସଂଦେଓ ଦାବୀଦାରୀ ଅଧିକ ରହିଛି। ବିଜେପିର ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ସୁସପଂର୍କ ଓ ମହିଳା ସାଂସଦ ଭାବେ ସଂସଦରେ ଅନୁଭବ ସଂଗୀତାଙ୍କ ସପକ୍ଷରେ ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories