ମୁମ୍ବଇ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଜାତୀୟତା କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର ରବିବାର ପାକିସ୍ତାନକୁ ପ୍ରଶଂସା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। କେବଳ ଏତିକି ନୁହେଁ ସେ ଶାସକ ଦଳକୁ ଟାର୍ଗେଟ କରି ସରକାର ରାଜନୈତିକ ଫାଇଦା ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଏଠାରେ ଏନସିପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାୱାର କହିଛନ୍ତି, ଏଠାକାର ଲୋକେ କହୁଛନ୍ତି ପାକିସ୍ତାନୀମାନେ ନିଜ ଦେଶରେ ଅନ୍ୟାୟର ଶିକାର ହେଉଛନ୍ତି ଏବଂ ସେମାନେ ଖୁସି ନାହାନ୍ତି। କିନ୍ତୁ ଏହା ସତ୍ୟ ନୁହେଁ। ପ୍ରକୃତ ପରିସ୍ଥିତିକୁ ନ ବୁଝି, ରାଜନୈତିକ ଫାଇଦା ପାଇଁ ଏଭଳି ବିବୃତି ଦିଆଯାଉଛି। ଏଠାରେ ଶାସକ ଦଳ ନିଜର ଫାଇଦା ପାଇଁ ମିଥ୍ୟା ତଥ୍ୟକୁ ପ୍ରଚାର କରୁଛନ୍ତି। ମୁଁ ପାକିସ୍ତାନ ଗସ୍ତ କରିଛି ଏବଂ ସେଠାରେ ମୋତେ ଭଲ ଆତିଥ୍ୟ ମିଳିଛି। ପାକିସ୍ତାନୀମାନେ ବିଶ୍ଵାସ କରନ୍ତି ଯେ, ଯଦିଓ ସେମାନେ ଭାରତ ଆସିପାରୁ ନାହାନ୍ତି, ତଥାପି ଜଣେ ଭାରତୀୟଙ୍କୁ ସେମାନେ ନିଜର ସମ୍ପର୍କୀୟଙ୍କ ଭଳି ବ୍ୟବହାର କରନ୍ତି ବୋଲି ପାୱାର କହିଛନ୍ତି। ଏହାବ୍ୟତୀତ ଜାମ୍ମୁ-କାଶ୍ମୀରରୁ ଧରା ୩୭୦ ଉଚ୍ଛେଦ ପାଇଁ ପାୱାର କେନ୍ଦ୍ର ସରକାରକୁ ସମାଲୋଚନା କରିବା ସହିତ ଏହା ସେଠାରେ ଆଦଙ୍କବାଦକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ମତ ଦେଇଛନ୍ତି।



