www.samajalive.in
Sunday, December 7, 2025
26.1 C
Bhubaneswar

ମଶାଣି ପାଲଟିଛି ମନ୍ଦିର

ନୟାଗଡ଼: ଦିନେ ଜଙ୍ଗଲିଆ ପରିବେଶରେ କଣ୍ଟାବୁଦାମୂଳରେ ଥିବା ମଶାଣି ଆଜି ମନ୍ଦିର ପାଲଟିଛି। ଯେଉଁ ସ୍ଥାନ ଦେଖିଲେ ଡର ଲାଗୁଥିଲା ଆଜି ସେ ସ୍ଥାନ ଅବସର ବିନୋଦନର ପ୍ରମୁଖ ସ୍ଥଳ ପାଲଟିଛି। ଓଡ଼ିଶାର ଏକ ବଡ଼ ଗାଁ ରୂପେ ପରିଚିତ ଇଟାମାଟି ମହାବୀର ଯୁବକ ସଂଘର ପାଞ୍ଚବର୍ଷର କଠିନ ପରିଶ୍ରମ ଆଜି ସମଗ୍ର ଜିଲାବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଶ୍ମଶାନରେ ଏକ ସୁଉଚ୍ଚ ମହାଦେବଙ୍କ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଆଜି ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି। ମଶାଣିରେ ଥିବା ମା’ ମଶାଣିଚଣ୍ଡି ମନ୍ଦିର ଆଜି ଗାଁ ଲୋକଙ୍କ ପାଇଁ ଆରାଧ୍ୟ ଦେବୀ ପାଲଟିଛନ୍ତି।


ନୟାଗଡ଼ ସଦର ମହକୁମାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ଇଟାମାଟି ଗ୍ରାମ। ଗାଁର ବିଭିନ୍ନ ସାହିରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ବାସ କରନ୍ତି। ଗାଁର ମଶାଣି ଏକ ପରିତ୍ୟକ୍ତ ସ୍ଥାନରେ ଥିଲା। ବର୍ଷ ବର୍ଷ ଧରି ରାସ୍ତାକଡ଼ରେ ଶ୍ମଶାନରେ ଚାଲିଥିଲା ଶବଦାହ, ମଶାଣି ପାଚେରିକୁ ଲାଗି ଥିବା କବରସ୍ଥାନରେ ମୁସଲିମ ସମ୍ପ୍ରଦାୟ ବ୍ୟବହାର କରୁଥିବାବେଳେ ରାଜହୁଡ଼ା ମଶାଣିରେ ହିନ୍ଦୁ ସମ୍ପ୍ରଦାୟ ବ୍ୟବହାର କରି ଆସୁଥିଲେ। ଭାଇଚାରାର ନିଦର୍ଶନ ଏହି ଗାଁରେ ଦେଖିବାକୁ ମିଳେ। ମାତ୍ର ୫ ଇଞ୍ଚର ଏକ ପାଚେରି କବରସ୍ଥାନ ଓ ମଶାଣି ମଝିରେ ପାର୍ଥକ୍ୟ ସୃଷ୍ଟି କରିଥିଲେ ହେଁ ଭାଇଚାରାରେ ବନ୍ଧା ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟ। ଏଭଳି ସମୟରେ ୨୦୧୬ରେ ଗାଁର ମହାବୀର ଯୁବକ ସଂଘ କର୍ମକର୍ତ୍ତା ଅଣ୍ଟା ଭିଡ଼ିଥିଲେ ମଶାଣିର ଉନ୍ନତିକରଣ କରିବା ପାଇଁ। ସମସ୍ତେ ଶ୍ରମଦାନ ସହ ଅର୍ଥଦାନ କରିଥିଲେ। ଉନ୍ନତିକରଣ କାମ ଭିିତରେ ଶ୍ମଶାନ ଗୃହର ପୁନରୁଦ୍ଧାର ସାଙ୍ଗକୁ ପାଚେରି, ବନୀକରଣ, ଔଷଧିୟ ଚାରାରୋପଣ, ମଶାଣିଚଣ୍ଡୀ ମନ୍ଦିର ସ୍ଥାପନ ଆଦି ଅନ୍ତର୍ଭୁକ୍ତ ଥିଲା। ୨୦୧୮ରେ ଚାନ୍ଦିନୀ ଓ ନଳକୂପ ସ୍ଥାପନ କରାଯାଇଥିଲା। ମଶାଣିର ଉନ୍ନତିକରଣ ପରେ ମଶାଣିଚଣ୍ଡୀ ମନ୍ଦିରରେ ୨୦୧୬ରୁ ପ୍ରତ୍ୟେକବର୍ଷ ମକର ସଂକ୍ରାନ୍ତିରେ ପୂଜାର୍ଚ୍ଚନା ହୋଇଆସୁଛି। ପ୍ରାୟ ୩ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହେଉଛି। ପ୍ରତ୍ୟେକ କାର୍ଯ୍ୟ ପାଇଁ ସଂଘର କର୍ମକର୍ତ୍ତା ଓ ଗାଁ ଲୋକେ ଶ୍ରମ ଓ ଅର୍ଥଦାନ କରୁଥିବାବେଳେ ଆଜି ସୁଦ୍ଧା ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଗାଁର ଆବାଳ ବୃଦ୍ଧବନୀତା ଏହି ଶ୍ମଶାନ ସେବା କାର୍ଯ୍ୟରେ ବ୍ରତୀ। ଶ୍ମଶାନ ପାଚେରିରେ ଗାଁ ଝିଅ, ବୋହୂଙ୍କଦ୍ୱାରା ଅଙ୍କିତ ସୁନ୍ଦର ଝୋଟି ଓ କଳାକୃତି ଚହଟୁଛି। ଯୁବପିଢ଼ିଙ୍କ ଶ୍ରମଦାନ, ବୟସ୍କଙ୍କ ଅର୍ଥଦାନ, ମହିଳାଙ୍କ କଳାକୃତିର ଅପୂର୍ବ ସମାହାର ା ଏହି ଶ୍ମଶାନରେ ଔଷଧିୟ ଉଦ୍ୟାନ ସୃଷ୍ଟି, ଫଳ ଓ ଫୁଲ ବଗିଚା ପଥଚାରୀଙ୍କୁ ଶ୍ମଶାନ ବକ୍ଷକୁ ଟାଣି ନେଉଛି। ଲେମ୍ବୁ, ଅଁଳା, ଆମ୍ବ, ଟଭା, ପିଜୁଳି, କରମଙ୍ଗା ସାଙ୍ଗକୁ ବିଭିନ୍ନ ଫଳ ଓ ବେଲ, ଚକ୍ରକେଦାର, ହାଡ଼କଙ୍କାଳି, ଖଡ଼ିସିଜୁ ଭଳି ଔଷଧିୟ ବୃକ୍ଷ ଏହି ଶ୍ମଶାନର ଶୋଭା ବଢ଼ାଉଛି। ଶ୍ମଶାନରେ ତୁଳସୀ ଭରି ହୋଇ ରହିଥିବାବେଳେ ଇଟାମାଟି ଶ୍ରୀଜଗନ୍ନାଥ ମନ୍ଦିରକୁ ଦୈନିକ ଏହି ଶ୍ମଶାନର ତୁଳସୀ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗୁଛି।

- Advertisement -

ମଶାଣି ଭୂଇଁରେ ହସିବେ ଶିବ
ଶ୍ମଶାନର ପଶ୍ଚିମପାର୍ଶ୍ବରେ ଏକ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ମହାଦେବଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହାବୀର ସଂଘ କର୍ମକର୍ତ୍ତା। ଏଥିପାଇଁ ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଥିବାବେଳେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଶ୍ରୀଧାମ ବୃନ୍ଦାବନରୁ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଏହି ମୁକ୍ତାକାଶ ମହାଦେବ ମନ୍ଦିରର ଭୂମି ପୂଜା କରିଛନ୍ତି। ଏହି ଅବସରରେ ପ୍ରାୟ ୫୦୦ ଜଣ ୬୦ ବର୍ଷୀୟ ବୟସ୍କଙ୍କ ସମାଗମ ହୋଇଥିଲା। ବଡ଼ ଗାଁର ଏଭଳି ଏକ ପ୍ରେରଣାଦାୟୀ ଶ୍ମଶାନ ଆଜି ସମଗ୍ର ଜିଲାବାସୀଙ୍କ ପାଇଁ ଉଦାହରଣ ପାଲଟିଥିବାବେଳେ ସଂଘ କର୍ମକର୍ତ୍ତାଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories