ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇପାରି ନାହିଁ। ଫଳରେ ଧୀରେ ଧୀରେ ଆଶା କମିବାରେ ଲାଗିଛି। ବିକ୍ରମର ଜୀବନ କାଳ ୧୪ ଦିନ ହୋଇଥିବାବେଳେ ଗୁରୁବାର ସୁଦ୍ଧା ୧୩ ଦିନ ବିତିଯାଇଛି। କିନ୍ତୁ ବିକ୍ରମ ସହିତ ଯୋଗାଯୋଗ ହୋଇପାରି ନାହିଁ। ହାତରେ ଆଉ ଗୋଟିଏ ଦିନ ଥିବାବେଳେ ବିକ୍ରମ ସହିତ ସମ୍ପର୍କ ଯୋଡ଼ିବାର ସମସ୍ତ ଆଶା ଶେଷ ହୋଇଆସିଛି। ତେବେ ଆମେରିକାର ମହାକାଶ ସଂସ୍ଥା ନାସା ବିକ୍ରମକୁ ଠାବ କରିବା ସହ ତା’ ସହିତ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବ ବୋଲି ଭାରତୀୟମାନଙ୍କର ଆଶା ରହିଥିଲା। କିନ୍ତୁ ତାହା ବି ଶେଷ ହୋଇଯାଇଛି। ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି। ନାସାର ଅର୍ବିଟରରେ ଲାଗିଥିବା କ୍ୟାମେରାରେ ବିକ୍ରମ ଦୃଶ୍ୟମାନ ହେଉ ନ ଥିବା ନାସା ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ନାସାର ଲୁନାର ରିକାନ୍ନ୍ସେସ ଅର୍ବିଟର(ଏଲଆରଓ) ବିଗତ ୧୦ ବର୍ଷ ଧରି ଚନ୍ଦ୍ର କକ୍ଷପଥରେ ଘୁରିବୁଲୁଛି। ଗତ ମଙ୍ଗଳବାର ଦିନ ଏଲଆରଓ ଚନ୍ଦ୍ରପୃଷ୍ଠରେ ପଡ଼ିରହିଥିବା ବିକ୍ରମ ଉପର ଦେଇ ଅତିକ୍ରମ କରିଥିଲା। କିନ୍ତୁ ଏଲଆରଓରେ ଲାଗିଥିବା କ୍ୟାମେରାରେ ବିକ୍ରମ ନଜର ଆସୁ ନ ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ବିକ୍ରମ ସହିତ ସମ୍ପର୍କ ସ୍ଥାପନ କରିବାର ଆଶା ମଧ୍ୟ ଏକପ୍ରକାର ଶେଷ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୭ ତାରିଖରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମକୁ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଉଥିବା ସମୟରେ ତା’ ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ବିକ୍ରମ ଚନ୍ଦ୍ରପୃଷ୍ଠରେ ଏକ ପାର୍ଶ୍ଵକୁ ଢଳି ରହିଥିବା ଚନ୍ଦ୍ରଯାନ-୨ ଅର୍ବିଟର ନେଇଥିବା ଫଟୋରୁ ଜଣାପଡ଼ିଥିଲା। କିନ୍ତୁ ବିକ୍ରମ ସହିତ ସମ୍ପର୍କ ସ୍ଥାପନ କରିବାରେ ଇସ୍ରୋ ସଫଳ ହୋଇପାରି ନାହିଁ।



