ମାଓ ସାମଗ୍ରୀ ଯୋଗାଣ ଅଭିଯୋଗରେ ଲାଞ୍ଜିଗଗଡରୁ ୩ ଗିରଫ

ନର୍ଲା: କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କଳାହାଣ୍ଡିର ବିଭିନ୍ନ ସ୍ଥାନରେ କେକେବିନ୍ ଡିଭିଜନ୍ ମାଓ ନିଜର ସ୍ଥିତି ଜାହିର ପୂର୍ବକ ଅଘଟଣ ଘଟାଉଥିବା ବେଳେ ନିକଟ ଅତୀତରେ ମାଓ ପୋଷ୍ଟର ସମ୍ପର୍କିତ ସମ୍ବାଦ ପରିବଷଣ କରିବାକୁ ଯାଇ ସାମ୍ବାଦିକ ରୋହିତ ବିଶ୍ବାଳ ପ୍ରାଣ ହରାଇଛନ୍ତି। ତେବେ ଗିରଫ ହୋଇଥିବା ତିନି ଜଣ ମାଓବାଦୀଙ୍କୁ ଅସ୍ତ୍ର ଶସ୍ତ୍ର ତଥା ମାଓ ଉପକରଣ, ଅସ୍ତ୍ରଶସ୍ତ୍ର ଓ ପାଣ୍ଠି ଯୋଗାଣ ଆଦି ଅଭିଯୋଗ ରହିଅଛି।

ଗିରଫ ବ୍ୟକ୍ତିମାନେ ହେଲେ କବି ଓରଫ ପ୍ରବୀଣ କୁମାର ରାଉତ (୪୯), ପ୍ରତିଦାନ ରାଉତ (୨୦) ଓ ଶକ୍ତିସାମନ୍ତ ଦଳବେହେରା (୨୯) ବୋଲି ଜଣାପଡିଛି। ବହୁ ଦିନରୁ ଏମାନଙ୍କ ଉପରେ କଳାହାଣ୍ଡି ପୁଲିସର ନଜର ଥିବା ବେଳେ ଆଜି ପ୍ରାମାଣିକ ତଥ୍ୟ ଆଧାରରେ ପୁଲିସ ଲାଞ୍ଜିଗଡ ରୋଡରୁ ୩ ଜଣଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ତଦନ୍ତ ଶାଖାର ଖୋଳତାଡରେ ଏମାନେ ମାଓ ସହିତ ସମ୍ପର୍କ ରଖିଥିବା ଜଣାପଡିଛି। ଉପଖଣ୍ଡୀୟ ପୁଲିସ ଅଧିକାରୀ କେସିଙ୍ଗା ଅଭିନବ ସୋନକରଙ୍କ ନେତୃତ୍ବରେ ପୁଲିସ ସେମାନଙ୍କ ଠାରୁ ଦୁଇଟି ଓ୍ବାକି ଟକି, ୮ଟି ମୋବାଇଲ୍ ଫୋନ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରୀ ରଖିଛି ନର୍ଲା ଥାନା।

Comments are closed.