ଇଟାନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ୪ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ବହୁ ଯୋଜନା ଉଦଘାଟନ କରିଛନ୍ତି । ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଶିଳାନ୍ୟାସ କରିଛନ୍ତି । ମୋଦୀ ହୋଲ୍ଲୋଙ୍ଗୀରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଏବଂ ଲୋହିତ ଜିଲ୍ଲାର ତେଜୁରେ ଏକ ପୁନଃସଂଯୋଜିତ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ ପାଇଁ ଏକ ନୂତନ ଦୁରଦର୍ଶନ ଚ୍ୟାନେଲ ଡିଡି ଅରୁଣ ପ୍ରଭାର ଉଦଘାଟନ କରିଛନ୍ତି । ଏହା ସହ ୧୧୦ ମେଗାୱାଟର ବିଜୁଳି ଦେଶକୁ ଦେଇଛନ୍ତି । ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏକ ସ୍ଥାୟୀ ପରିସରର ଶିଳା ରଖିଛନ୍ତି । ଆଇଜି ପାର୍କରେ ଆୟୋଜିତ ଏକ ସମାରୋହରେ ରିମୋର୍ଟ ଜରିଆରେ ୫୦ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି । ଅରୁଣାଚଳରେ ସୂର୍ୟ୍ୟର ଉଦୟ ହୋଇ ସାରିଛି । ଏହା ଦେଶର ଆତ୍ମବିଶ୍ୱାସ । ଆଜି ଅରୁଣାଚଳ ପ୍ରଦେଶ ଯାହା ପାଇଛି ତାହା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଦେଶ ପାଇବ । ଏହା ସହ ରାଜ୍ୟର ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ପରିଯୋଜନା ଚାଲିଛି ବୋଲି ମୋଦୀ କହିଛନ୍ତି ।



